Categories: ଜାତୀୟ

ବାମ ସରକାରର ସଂସ୍କରଣ ଟିଏମ୍‌ସି

ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। ରବିବାର ହଳଦିଆଠାରେ ଏକ ରାଜନୈତିକ ର଼୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗରେ ବାମଦଳ ସରକାରର ଦ୍ୱିତୀୟ ସଂସ୍କରଣ। ମମତାଙ୍କ ଶାସନରେ ସାମ୍ପ୍ରଦାୟିକତାର ପୁନର୍ଜନ୍ମ ହୋଇଛି। ରାଜ୍ୟରେ ରାଜନୀତିର ଅପରାଧୀକରଣ ଏବଂ ପ୍ରଶାସନର ରାଜନୀତିକରଣର ଏହା ସୂଚନା । ନନ୍ଦିଗ୍ରାମରେ ଯେଉଁମାନେ ଗୁଳି ଚଳାଇଥିଲେ ସେମାନଙ୍କୁ କ’ଣ ପାଇଁ ମମତା ନିଜ ଦଳରେ ନେଇଛନ୍ତି, ତାହା ଟିଏମ୍‌ସିକୁ ପ୍ରଶ୍ନ କରିବାକୁ ରାଜ୍ୟବାସୀ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
‘ଭାରତ ମାତା କୀ ଜୟ’ କହିଲେ ମମତା ଦିଦି ରାଗୁଛନ୍ତି। କିନ୍ତୁ ଦେଶ ବିରୋଧରେ କହୁତ୍ଥିବା ଲୋକଙ୍କ ପ୍ରତି ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ। ଯୋଗ, ଭାରତରେ ପ୍ରସ୍ତୁତ ଚା’ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବାବେଳେ ମମତା ମୁହଁ ଖୋଲୁ ନ ଥିବା ମୋଦି କହିଥିଲେ। ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗକୁ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଗସ୍ତ। ସେ ହଳଦିଆରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିଃ ଦ୍ୱାରା ନିର୍ମିତ ଏଲ୍‌ପିଜି ଆମଦାନି ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ। ଏହା ପୂର୍ବରୁ ଜାନୁୟାରୀ ୨୩ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ପରିକ୍ରମା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ପ୍ରଥମେ ଆସାମ ଯାଇ ସେଠାରେ ଦୁଇଟି ହସ୍ପିଟାଲର ଶିଳାନ୍ୟାସ କରିବା ସହ ସୋନିତ୍‌ପୁର ଜିଲାର ଢେକିଆଜୁଲିଠାରେ ‘ଆସୋମ୍‌ ମାଳା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Share