କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍କା। ଦଳର ଏମ୍ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ରାଜ୍ୟସଭା ଏମ୍ପି ପ୍ରକାଶ ବରାଇକ ଟିଏମ୍ସିରୁ ଇସ୍ତଫା ଦେଇଛନ୍ତି। ବରାଇକଙ୍କ ଇସ୍ତଫା ପରେ ରାଜ୍ୟ ସଭାରେ ଟିଏମ୍ସି ଏମ୍ପିଙ୍କ ସଂଖ୍ୟା ହ୍ରାସ ପାଇ ଏବେ ମାତ୍ର ୧୦ରେ ପହଞ୍ଚିଛି। ଏହାପୂର୍ବରୁ ବୁଧବାର ରାଜ୍ୟ ସଭା ଏମ୍ପି ସୁସ୍ମିତା ଦେବ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ ମଧ୍ୟ ପୂର୍ବରୁ ରାଜ୍ୟ ସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି।
ନିଜ ଇସ୍ତଫା ପତ୍ରରେ ପ୍ରକାଶ ବରାଇକ ଲେଖିଛନ୍ତି, “ମୁଁ ତତ୍କାଳ ପ୍ରଭାବରୁ ରାଜ୍ୟ ସଭା ସଦସ୍ୟତାରୁ ଇସ୍ତଫା ଦେଉଛି। ଦୟାକରି ଏହାକୁ ଗ୍ରହଣ କରନ୍ତୁ। ରାଜ୍ୟ ସଭା ସଦସ୍ୟ ଭାବରେ ମୋର କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସମସ୍ତ ସହଯୋଗ ଏବଂ ସହାୟତା ପାଇଁ ମୁଁ ମାନ୍ୟବର ଉପବାଚସ୍ପତି ମହୋଦୟ ଏବଂ ରାଜ୍ୟ ସଭା ସଚିବାଳୟର ସମସ୍ତ ଅଧିକାରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।”
ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ପରାଜୟ ପରେ ଦଳ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ମଧ୍ୟରେ ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ଆଘାତ ସଦୃଶ ହୋଇଛି। ରିପୋର୍ଟ ଅନୁଯାୟୀ, ଦଳର ଅନେକ ଏମ୍ପି ଏକ ପୃଥକ ଗୋଷ୍ଠୀ ଗଠନ କରି ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହିତ ଯିବାକୁ ନିଷ୍ପତ୍ତି ନେଇଛନ୍ତି, ଯେପରି ନିକଟରେ ଆମ ଆଦମୀ ପାର୍ଟି (AAP) ର ୭ ଜଣ ଏମ୍ପି ପାର୍ଟି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗରେ ଟିଏମ୍ସିର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ପୂର୍ବରୁ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ପୃଥକ ଗୋଷ୍ଠୀ ଗଠନ କରିସାରିଛନ୍ତି, ଯାହାଙ୍କୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି।
Dharitri – Odisha’s No.1 Odia Daily