Categories: ଜାତୀୟ

ଡେଟିଂ ଆପ୍‌ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍‌ପିଙ୍କ ଫଟୋ

କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶ୍‌ରତ୍‌ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ କରିପାରିବି ନାହିଁ ବୋଲି ନୁଶ୍‌ରତ ଟୁଇଟ୍‌ କରି କହିଛନ୍ତି। ଭାସବତୀ ନାମକ ଏକ ଟୁଇଟର ଆକାଉଣ୍ଟଧାରୀ ଫ୍ୟାନ୍ସିୟୁ-ଭିଡିଓ ଚାଟ ଆପରେ ନୁଶରତ୍‌ଙ୍କ ଫଟୋ ରଖି ତାଙ୍କୁ ଟ୍ୟାଗ୍‌ କରିଥିଲେ। ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ନୁଶରତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଟୁଇଟ୍‌ରେ ନୁଶରତ୍‌ କୋଲକାତା ପୋଲିସ ଏବଂ ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ଟ୍ୟାଗ କରିଛନ୍ତି। ପୋଲିସ ଟୁଇଟ୍‌ କରି କହିଛି ଯେ ଆଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଙ୍ଗଳା ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଥିବା ନୁଶରତ୍‌ ୨୦୧୯ରେ ପ୍ରଥମ ଥର ପାଇଁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ। ପଶ୍ଚିମବଙ୍ଗର ବାସିରହାଟ ଲୋକ ସଭା ଆସନରୁ ନିର୍ବଚନ ଲଢି ଜିତିଥିଲେ।

Share