Categories: ଜାତୀୟ

ଟିକ୍‌ ଟକ୍‌ ବ୍ୟାନ୍‌ ନେଇ ଏମିତି କହିଲେ ଟିଏମ୍‌ସି ମହିଳା ଏମ୍‌ପି

କୋଲକାତା, ୧।୭- ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଯୋଗୁ ତିକ୍ତତା ଚରମସୀମାରେ ପହଞ୍ଚତ୍ବାବେଳେ ନିକଟରେ ଦେଶର ତଥ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯ ଚାଇନା ଆପ୍‌କୁ ବ୍ୟାନ କରିଥିଲେ। ବ୍ୟାନ୍‌ ହୋଇଥିବା ଆପ୍‌ ମଧ୍ୟରେ ଟିକ୍‌ ଟକ୍‌ ସବୁଠାରୁ ଲୋକପ୍ରିୟ ଥିଲା। ସରକାରଙ୍କ ଏହି ନିଷ୍ପତ୍ତିକୁ କେତେକ ଲୋକ ସମର୍ଥନ କରୁଥିବାବେଳେ ଆଉ କେତେଜଣ ଏହାକୁ ସମାଲୋଚନା କରୁଛନ୍ତି। କେତେ ଲୋକଙ୍କ ପାଇଁ ଟିକ୍‌ ଟକ୍‌ ରୋଜଗାରର ଏକ ମାଧ୍ୟମ ଥିବାରୁ ସେମାନେ ଏବେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ନୁସରତ୍‌ ଜହାଁ ମଧ୍ୟ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ’ଆବେଗିକ ନିଷ୍ପତ୍ତି’ ବୋଲି କହିବା ସହିତ ଏହାକୁ ନୋଟ୍‌ବନ୍ଦୀ ସହ ତୁଳନା ମଧ୍ୟ କରିଛନ୍ତି। ବୁଧବାର କୋଲକାତାରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ଯୋଗଦେବା ଅବସରରେ ନୁସରତ୍‌ କହିଛନ୍ତି, ‘ଏବେ ସେହି ଲୋକମାନଙ୍କର କ’ଣ ହେବ, ଯେଉଁମାନେ ଟିକ୍‌ ଟକ୍‌ ବ୍ୟାନ୍‌ ହେବାପରେ ବେରୋଜଗାର ହୋଇଗଲେ। ଯଦି ଏହି ନିଷ୍ପତ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ତାହାଲେ ସେଥିରେ କିଛି କହିବାର ନାହିଁ ଏବଂ ମୁଁ ଏହାକୁ ସମର୍ଥନ କରୁଛି। କିନ୍ତୁ ରୋଜଗାର ହରାଇଥିବା ଏହି ଲୋକଙ୍କ ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ପ୍ଲାନ ରହିଛି’ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଏହିଭଳି ନିଷ୍ପତ୍ତି ନିଆଯାଉଛି ତେବେ କିଛି ବିକଳ୍ପ ରଣନୀତି କିମ୍ବା ପ୍ଲାନ ବ୍ୟାକ୍‌ଅପ୍‌ ରହିବା ଆବଶ୍ୟକ। କେବଳ ଯେ ଆପ୍‌ ବନ୍ଦ କରିଦେଲେ ଆମେ ଚାଇନା କମ୍ପାନୀକୁ ହରାଇ ପାରିବା ନାହିଁ। ଏଲ୍‌ଇଡି ବଲ୍‌ଠାରୁ ଆରମ୍ଭ କରି ଘରେ ଲାଗିଥିବା ଏସି ସବୁଥିରେ ଚାଇନା କମ୍ପାନୀର ଜିନିଷ ରହିଛି। ଏହାକୁ କାଉଣ୍ଟର କରିବା ଲାଗି କିଛି ରଣନୀତି ରହିଛି କି ବୋଲି ୩୦ ବର୍ଷୀୟା ଏହି ଏମ୍‌ପି କହିଛନ୍ତି।

Share