Categories: ଜାତୀୟ

ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ମୌସମ ନୂର୍‌ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ବିଭିନ୍ନ ଦଳର ଅନୂ୍ୟନ ୧୦ ଜଣ ଏମ୍‌ପି ଅନୁରୂପ ପ୍ରସ୍ତାବ ଆଣିବା ଆଶା କରାଯାଉଛି।

ଗତ ୯ ତାରିଖରେ ପ୍ରସାରିତ ହୋଇଥିବା ଉକ୍ତ ସାକ୍ଷାତ୍‌କାରରେ ଜଷ୍ଟିସ୍‌ ଗୋଗୋଇ କହିଥିଲେ, କୋଭିଡ୍‌ କଟକଣା ଏବଂ ସାମାଜିକ ଦୂରତ୍ୱ ଅଭାବ କାରଣରୁ ସେ ପାର୍ଲାମେଣ୍ଟକୁ ଯାଉନାହାନ୍ତି। ଭଲ ଅନୁଭବ କଲେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିବା ଆବଶ୍ୟକ ଭାବିଲେ, ସେ ସଂସଦକୁ ଯାଇଥାନ୍ତି ବୋଲି କହିଥିଲେ। ସେ ମନୋନୀତ ହୋଇଥିବାରୁ କୌଣସି ଦଳର ତାଙ୍କ ଉପରେ ହୁଇପ୍‌ ନାହିଁ। ସିଜେଆଇ ଭାବେ ଅବସର ନେବାର ମାତ୍ର ୪ ମାସ ପରେ ରାଜ୍ୟ ସଭା ଗଲେ। ଏଥିରେ ଚମତ୍କାରିତା କ’ଣ ବୋଲି ପ୍ରଶ୍ନ ହେବାରୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ହୋଇଥିଲେ ଭଲ ପାରିଶ୍ରମିକ ମିଳିଥାନ୍ତା ବୋଲି ଗୋଗୋଇ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ଗୃହର ମର୍ଯ୍ୟାଦା ହାନି କରୁଥିବା ଦର୍ଶାଇ ଟିଏମ୍‌ସି ଏମ୍‌ପି ପୂର୍ବତନ ସିଜେଆଇଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି।

 

Share