Categories: ଜାତୀୟ

ଭାଙ୍ଗୁଛି ତୃଣମୂଳ ଗଡ଼: ବଢୁଛି ଦିଦିଙ୍କ ଚିନ୍ତା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ରାଜ୍ୟ ଜୟ ଯୋଜନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ମାଷ୍ଟର ପ୍ଲାନ୍‌ ଆଗରେ ଶାସକ ତୃଣମୂଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକୁଟିଆ ପଡ଼ିଗଲା ଭଳି ମନେ ହେଉଛି। ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ଭାଜପା ଯୋଜନାବଦ୍ଧ ଭାବେ ତୃଣମୂଳକୁ ଭାଙ୍ଗିବାରେ ଲାଗିଛି। ୧୯୯୮ରେ ମମତା କଂଗ୍ରେସ ସହିତ ସମ୍ପର୍କ ତୁଟାଇ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ୧୯୯୮ପରେ ପ୍ରଥମଥର ୨୦୨୦ରେ ତୃଣମୂଳର ୩୪ ସଦସ୍ୟ ଶାହାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ତୃଣମୂଳର ଭାଙ୍ଗିବା ଧାରା ଧୀରେଧୀରେ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ବେଳକୁ ଦିଦି ଏକା ରହିଯିବେ ବୋଲି ଭାଜପା ପକ୍ଷରୁ କଟାକ୍ଷ କରାଯାଇଛି। ମମତାଙ୍କ ପୁତରା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଉପରେ ଦଳୀୟ ସଦସ୍ୟ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ଫଳରେ ତୃଣମୂଳରେ ଫାଟ ବଢୁଛି। ଇତିମଧ୍ୟରେ ଶାହା ରାଜ୍ୟରେ କୁଣିଆ ରାଜନୀତି ଆରମ୍ଭ କରି ଜଣେ ଚାଷୀଙ୍କ ଘରେ ଭୋଜନ ମଧ୍ୟ କରି ସାରିଛନ୍ତି। ଯୋଜନାବଦ୍ଧ ଭାଜପା ପକ୍ଷରୁ ଏଭଳି କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ସ୍ଥିତି ନେଇ ଏବେ ଦିଦିଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share