Categories: ଜାତୀୟ

ପଶ୍ଚିମବଙ୍ଗରେ ପୋଷ୍ଟର ୱାର

କୋଲକାତା,୨୭ ।୨: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶନିବାର ଏଠାରେ ଦେଖିବାକୁ ମିଳିଛି ପୋଷ୍ଟର ୱାର । ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଛି ଏହି ୱାର । ଭାଜପା ତା’ର ମହିଳା ନେତାଙ୍କ ପୋଷ୍ଟର ଜାରି କରି କହିଛି ପଶ୍ଚିମବଙ୍ଗକୁ ତା’ର ଝିଅ ଦରକାର ପିଉସି ବା ମାଉସୀ ନୁହେଁ । ହେଲେ ଏହି ପୋଷ୍ଟର ଦେଖିବା ପରେ ଟିଏମ୍‌ସି କହିଛି ଭାଜପା ଯେଉଁ ୯ ଜଣ ନେତ୍ରୀଙ୍କୁ ଦର୍ଶାଇଛି ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ । ପ୍ରଥମେ ଏହାର ଉତ୍ତର ଦେଉ ଭାଜପା । ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରେ ଟିଏମ୍‌ସି ନେତା ଜିତେନ୍ଦ୍ର ତିୱାରୀ ଭାଜପାକୁ ପ୍ରଶ୍ନ କରିଛନ୍ତି ଆପଣଙ୍କର କେଉଁ ଝିଅ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବ । ତେବେ ଭାଜପା ଯେଉଁ ପୋଷ୍ଟର ଜାରି କରିଛି ସେଥିରେ ଭାଜପାର ୯ ନେତ୍ରୀଙ୍କୁ ପଶିମବଙ୍ଗର ଝିଅ ଦର୍ଶାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଆ ବା ପିଉସି ଅଥବା ମାଉସି ବୋଲି ଦର୍ଶାଇଛି । ସୂଚନାଯୋଗ୍ୟ, ଟିଏମ୍‌ସି ଦ୍ୱାରା ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଅଭିଯାନ ଆରମ୍ଭ କରିବା ସମୟରେ ମମତା କହିଥିଲେ ‘ପଶ୍ଚିମବଙ୍ଗକୁ ଆବଶ୍ୟକ ତା’ର ଝିଅ’ । ଏହି ସ୍ଲୋଗାନର ଜବାବରେ ଏବେ ଭାଜପା ତା’ର ୯ ନାରୀ ନେତ୍ରୀଙ୍କୁ ନେଇ ପୋଷ୍ଟର ଜାରି କରିବା ସହ ଟିଏମ୍‌ସିକୁ ଟାର୍ଗେଟ କରିଛି । କିନ୍ତୁ ଭାଜପା ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚୁପ୍ ରହିଛି । କେବଳ ଏତିକି କହୁଛି ମୁଖ୍ୟମନ୍ତ୍ରୀ ହେବେ ପଶ୍ଚିମବଙ୍ଗର ଝିଅ । ସବୁବେଳେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ଟିଏମ୍‌ସି ବାରମ୍ବାର ଏହି କଥାକୁ ନେଇ ଭାଜପାକୁ ଘେରୁଛି । ଆଉ ଏବେ ଏହାକୁ ନେଉ ଭାଜପା ପୋଷ୍ଟର ଜାରି କରିଥିବା ବେଳେ ଟିଏମ୍‌ସି ସେହି ବଲକୁ ଭାଜପା କୋଟ୍‌କୁ ପଠାଇ ଦେଇଛି ।

Share