Categories: ଖେଳ

ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ହରାଇଲେ ଟିଟ୍‌ମୁସ

ଟୋକିଓ, ୨୭।୭-ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଆମେରିକାର କେଟ୍‌ ଲେଡେକିଙ୍କୁ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ ପ୍ରତିଯୋଗିତା ଜିତିଛନ୍ତି ଅଷ୍ଟ୍ରେଲିଆର ଆରିଆର୍ନେ ଟିଟ୍‌ମୁସ। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆମେରିକାର ବିଶ୍ୱରେକର୍ଡଧାରୀ କେଟ୍‌ ରେସ୍‌ ଅଧା ପର୍ଯ୍ୟନ୍ତ ୦.୬୬ ସେକେଣ୍ଡ ଆଗରେ ଥିଲେ। ମାତ୍ର ପ୍ରତିଯୋଗିତା ଶେଷ ହେବାର ୫୦ ମିଟର ପୂର୍ବରୁ ଟିଟ୍‌ମୁସ ବ୍ୟବଧାନରେ ହ୍ରାସ ଆଣି ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ”ମୁଁ ଏହାକୁ ବିଶ୍ୱାସ କରି ପାରୁନାହିଁ, ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛି“ ବୋଲି ଟୋକିଓ ଆକ୍ୱାଟିକ୍‌ ସେଣ୍ଟରରେ ରେସ୍‌ ଜିତିବାପରେ ଟିଟ୍‌ମୁସ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପରି ବଡ଼ ପ୍ରତିଯୋଗିତାରେ ସୁଇମିଂର ଦୁଇ ପାଓ୍ବାର ହାଉସ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ୪୦୦ ମିଟର ଫ୍ରିଷ୍ଟାଇଲ, ୮୦୦ ମିଟର ଓ ୨୦୦ ମିଟର ଫ୍ରିଷ୍ଟାଇଲରେ ପ୍ରାୟତଃ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହୋଇଥାଏ। ଟିଟ୍‌ମୁସ ପ୍ରଥମ ପ୍ରତିଯୋଗିତାରେ ବାଜି ମାରି ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଛନ୍ତି। ଟିଟ୍‌ମୁସଙ୍କ ବିଜୟରେ ଉଲ୍ଲସିତ ହୋଇପଡ଼ିଥିଲେ ତାଙ୍କ କୋଚ୍‌ ଡିନ୍‌ ବୋକ୍ସାଲ। ତେବେ ବିଜୟ ହାସଲ ପରେ ଟିଟ୍‌ମୁସ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶ୍ରେୟ ଦେଇଛନ୍ତି। ”ତାଙ୍କ ବିନା ମୁଁ ଏଠାରେ ନ ଥାନ୍ତି। ତାଙ୍କ ସହ ରେସ୍‌ କରିବା ଯୋଗୁ ହିଁ ମୋ ପ୍ରଦର୍ଶନରେ ଉନ୍ନତି ଆସିପାରିଲା। ତେଣୁ ସମସ୍ତ ଶ୍ରେୟ ତାଙ୍କୁ ଦେବାକୁ ପଡ଼ିବ“ ବୋଲି ୨୦ ବର୍ଷୀୟ ଟିଟ୍‌ମୁସ କହିଛନ୍ତି।

Share