୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ପ୍ରବଳ ତାତି। ଚାରିଆଡ଼େ ମୁଣ୍ଡଫଟା ଖରା। ପ୍ରଚଣ୍ଡ ଗ୍ରୀଷ୍ମରେ ସମଗ୍ର ରାଜ୍ୟ ଆଉଟପାଉଟ ହେଉଛି। ଆସନ୍ତା ୨୫ ତାରିଖରୁ ତାତିର ପ୍ରକୋପ ଆହୁରି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଟପିଯିବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ବୃଦ୍ଧି ପାଇବ। ଦିନରେ ବାହାରେ ରହିବା ମୁସ୍କିଲ ହୋଇପଡ଼ିବ। ରାଜ୍ୟକୁ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେବ। ଏଥିଯୋଗୁ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ମଙ୍ଗଳବାର ୫ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୦.୫, ବୌଦ୍ଧ ୪୦ , ବାରିପଦା ୪୦, ସମ୍ବଲପୁର ୪୦, ହୀରାକୁଦ ୩୯.୫, ଝାରସୁଗୁଡା ୩୮.୮, ତାଳଚେର ୩୮, ସୁନ୍ଦରଗଡ଼ ୩୮, କଟକ ୩୭.୨ ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨/୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।