ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.)
କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦ ସଭାଗୃହରେ ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟି, ସେବାୟତ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏନେଇ ସହମତି ପ୍ରକାଶ ପାଇଛି। ଦୀର୍ଘ ୭୦ ବର୍ଷ ଧରି ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରାପ୍ତ ଏହି ଶୈବ ପୀଠରେ ମହାଶିବରାତ୍ରୀ ଅନୁଷ୍ଠିତ ହେବା ସହ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କରୋନାର ନୂତନ ଷ୍ଟ୍ରେନ ଦେଶର ବିଭିନ୍ନ ରାଜ୍ୟ ତଥା ପଡୋଶୀ ଛତିଶଗଡ, ପଶ୍ଚିମବଙ୍ଗକୁ ପ୍ରବେଶ କରିସାରିଛି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମେଳାକୁ ବାତିଲ କରିବାକୁ ଉପଜିଲାପାଳ ପ୍ରସ୍ତାବ ଦେଇଥିଲେ। ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଟ୍ରଷ୍ଟି ଭବାନୀ ହୋତା, ସଞ୍ଜିବ ପାଢୀ, ସେବାୟତ ପଞ୍ଚାନନ ପାଢୀ, ପଙ୍କଜ ପାଢୀ, ବ୍ରାହ୍ମଣ ସମାଜ ସଭାପତି ବିଶ୍ୱରାମ ଠାକୁର, ନାଗରିକ କମିଟି ସଭାପତି ରାଧାକାନ୍ତ ପାଢୀ, ବାର ଆସୋସିଏଶନ ସଭାପତି ପ୍ରଭାସ ବହିଦାର, ପିତାମ୍ବର ବଗର୍ତ୍ତି, ଏମ୍‌ପି ପ୍ରତିନିଧି ପ୍ରଶାନ୍ତ ଷଡଙ୍ଗୀ, କେପିଏସଏସ ସମ୍ପାଦକ ଉପେନ୍ଦ୍ର ବାଗ, ରଣଜିତ ପୃଷ୍ଟି, ରାଜେଶ ପ୍ରଧାନ, ହରି ବହିଦାର ପ୍ରମୁଖ ମେଳା ବନ୍ଦ ରଖିବାକୁ ମତ ରଖିଥିଲେ। ମନ୍ଦିର ଭିତରକୁ କରୋନା ଟେଷ୍ଟିଙ୍ଗ ପରେ ପରିଚୟ ପତ୍ର ସହ କେବଳ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ। ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ସହ ଭକ୍ତଙ୍କ ଦର୍ଶନ, ଗହଳି ସମ୍ପୁର୍ଣ୍ଣ ନିଷେଧ ରହିବ। ପ୍ରଶାସନ ଦ୍ୱାରା ସ୍ବତନ୍ତ୍ର ଭାବରେ ୟୁଟ୍ୟୁବ, ଫେସବୁକ ଲାଇଭ ଆଦି ସାମାଜିକ ଗଣମାଧ୍ୟମରେ ମନ୍ଦିରର ସମସ୍ତ ନୀତିକାନ୍ତ ପ୍ରସାରଣ କରାଯିବ। କରୋନା ମହାମାରିରୁ ସୁରକ୍ଷା ପାଇଁ ଜନସାଧାରଣ ସହଯୋଗ କରିବାକୁ ବୈଠକରେ ନିବେଦନ କରାଯାଇଛି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।