ବିଜେଡିରୁ ପ୍ରାର୍ଥୀ ପାଇଁ ତିହିଡ଼ିରୁ ଅଧିକ ଆଶାୟୀ

ତିହିଡ଼ି,୨୩।୨ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ଧାମନଗର ବ୍ଲକ ଓ ତିହିଡ଼ି ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ବିଜେଡି ପକ୍ଷରୁ ତିହିଡ଼ି ବ୍ଲକରୁ ଅଧିକ ଆଶାୟୀ ରହୁଥିବା ଜଣାପଡ଼ିଛି। ଗତ ଉପନିର୍ବାଚନରେ ବିଜେଡିରୁ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଧାମନଗର ସଂରକ୍ଷିତ ଆସନ ଟିକେଟ ପାଇବା ପାଇଁ ନୂଆ ଚେହେରା ଲବିରେ ଅଛନ୍ତି। ଗତ ଉପନିର୍ବାଚନରେ ଡା. ସଞ୍ଜୟ କୁମାର ଦାସ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କୁ ଟିକେଟ୍‌ ମିଳି ନ ଥିଲା। ଆସନ୍ତା ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାରୁ ଚାକିରିରୁ ଇସ୍ତଫା ଦେଇ ସାରିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟମେଳା କରି ଲୋକଙ୍କ ପ୍ରିୟଭାଜନ ହେବାକୁ ସେ ଉଦ୍ୟମ ଚଳାଇଛନ୍ତି। ଦଳ ପକ୍ଷରୁ ତାଙ୍କୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଜିଲା ସଂଯୋଜକ ଦାୟିତ୍ୱ ଦିଆଯାଇଛି।
ସେହିପରି ତିହିଡ଼ି ବ୍ଲକର ଭାଟପଡ଼ା ପଞ୍ଚାୟତର ସାମାଜିକ କର୍ମୀ ଉଚ୍ଚଶିକ୍ଷିତ ଯୁବକ ପ୍ରିୟବ୍ରତ ସେଠୀ ବିଜେଡିରୁ ଟିକେଟ ପାଇବା ନେଇ ଆଶାୟୀ ଅଛନ୍ତି। ୧୯୯୫ରେ ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ଶହୀଦନଗର କଲେଜରେ ପଢୁଥିବା ବେଳେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଭାଟପଡ଼ା ପଞ୍ଚାୟତର ସମିତିସଭ୍ୟ ଭାବେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦଳୀୟ ପ୍ରାର୍ଥୀ କରାଗଲେ ଭୋଟରମାନେ ତାଙ୍କୁ ସମର୍ଥନ କରିବେ ବୋଲି ଦାବି କରି ସେ ଟିକେଟ ଲବିରେ ଅଛନ୍ତି। ସେହିପରି ଏହି ବ୍ଲକର କଁାପଡ଼ା ପଞ୍ଚାୟତର ରାଜ୍ୟ ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଦେବକୀ ଦାସ ମଧ୍ୟ ବିଜେଡିରୁ ଟିକେଟ ପାଇଁ ଆଶାୟୀ। ଦେବକୀ ୧୯୯୨ରେ ସମିତିସଭ୍ୟା, ୧୯୯୭ରେ ତିହିଡ଼ି ବ୍ଲକ ଉପାଧ୍ୟକ୍ଷା ଓ ୨୦୦୭ରେ ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ସଦସ୍ୟା ଓ ଜନତା ଦଳର ଜିଲା ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ ଚୟନରେ କାହାକୁ ଗୁରୁତ୍ୱ ଦେବ ତାହା ସ୍ପଷ୍ଟ ହୋଇନାହିଁ।