ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଅର୍ପଣ କରାଯିବ। ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦ରୁ ୧୬୦ କୋଟି ଟଙ୍କା ମଧ୍ୟରେ ରହିଛି। ମନ୍ଦିରକୁ ଜଣେ ବ୍ୟକ୍ତିଗତ ଭକ୍ତଙ୍କ ପକ୍ଷରୁ ଏହା ସବୁଠାରୁ ବଡ଼ ସୁନା ଦାନ ବୋଲି ତିରୁମଳା ତିରୁପତି ଦେବସ୍ଥାନମ୍ (TTD) ସୂତ୍ରରୁ ଜଣାପଡ଼ିଛି । ଏହି ବିଶେଷ ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ତିରୁମଳାରେ ପହଞ୍ଚି ଭଗବାନ ବେଙ୍କଟେଶ୍ୱରଙ୍କ ଦର୍ଶନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହି ବିରାଟ ଦାନ ପାଇଁ ଭକ୍ତ ଜଣକ ପୂର୍ବରୁ TTD ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ୪୫ଟି ସୁନା ଅଳଙ୍କାର ରହିଛି । ଏହାକୁ ୯ଟି ସେଟ୍ରେ ସଜାଯାଇଛି।ଅଳଙ୍କାରଗୁଡ଼ିକ ମଧ୍ୟରେ ମୁକୁଟ, ଶଙ୍ଖ-ଚକ୍ର, କମରବନ୍ଧ, ବାହୁକୀର୍ତ୍ତି ଏବଂ ଅଭୟ ହସ୍ତ ଆଦି ରହିଛି। ଏହାର ନିର୍ମାଣ ପାଇଁ ପ୍ରାୟ ୧୫ ମାସ ସମୟ ଲାଗିଛି। ଏହି ଦାନ ପଛରେ ଥିବା କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଭକ୍ତ ଜଣକ ଭଗବାନ ବେଙ୍କଟେଶ୍ୱର ସ୍ୱାମୀଙ୍କ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ। ପରେ ସେହି କମ୍ପାନୀରେ ସଫଳତା ପାଇବା ପରେ ଏହାର ୬୦ ପ୍ରତିଶତ ଅଂଶଧନ ୧.୫ ବିଲିୟନ ଡଲାରରେ ବିକ୍ରି କରିଥିଲେ।
ଭକ୍ତଙ୍କ ବିଶ୍ୱାସ ଅନୁସାରେ, ଏହି ସମ୍ପତ୍ତି ଭଗବାନ ବେଙ୍କଟେଶ୍ୱରଙ୍କ ଆଶୀର୍ବାଦରୁ ମିଳିଛି। ତେଣୁ ଏହାର ଏକ ଅଂଶ ଭଗବାନଙ୍କୁ ଫେରାଇ ଦେବା ଉଦ୍ଦେଶ୍ୟରେ ସେ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରୁଛନ୍ତି। ଦାନକର୍ତ୍ତା ନିଜର ପରିଚୟ ସାର୍ବଜନୀନ କରିବାକୁ ଚାହୁଁନାହାନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରିଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏହି ଦାନ ପାଇଁ ୧୨୧ କିଲୋଗ୍ରାମ ସୁନାର ପରିମାଣ ମଧ୍ୟ ଭକ୍ତ ନିଜେ ନିର୍ଦ୍ଧାରଣ କରିଥିଲେ।
ମନ୍ଦିରରେ ପାରମ୍ପରିକ ଭାବେ ଭଗବାନଙ୍କୁ ପ୍ରାୟ ୧୨୦ କିଲୋଗ୍ରାମ ଓଜନର ଅଳଙ୍କାର ପିନ୍ଧାଯାଏ ବୋଲି ଭକ୍ତ ଜଣକ ଜାଣି ନଥିଲେ। ତେବେ ତାଙ୍କର ୧୨୧ କିଲୋଗ୍ରାମ ସୁନା ଦାନ ଏବେ ତିରୁପତି ମନ୍ଦିରରେ ଚର୍ଚ୍ଚାର ବିଷୟ ପାଲଟିଛି।