ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ କହୁଥିଲେ- ”ଇଏ ଗୋଟିଏ ପ୍ରକାର ଇନ୍‌ଭେଷ୍ଟମେଣ୍ଟ। ପୁଅ ଇଞ୍ଜିନିୟର ହୋଇ ବାହାରିଲା ପରେ ଶୂନ୍ୟ ସଞ୍ଚୟ ପୁଣି ପୂର୍ଣ୍ଣ ହୋଇ ଉଠିବନି!“ ସତକଥା! ଆଜିକାଲି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଅଝିଅକୁ ମେଡିକାଲ, ଇଞ୍ଜିନିୟରିଂ ବା ସେହିଭଳି ବୃତ୍ତିଗତ ଶିକ୍ଷା ଦେଉଥିବା ମା’ବାପାମାନେ ଏଭଳି କାର୍ଯ୍ୟକୁ ନିଜର ମୌଳିକ କର୍ତ୍ତବ୍ୟ ବୋଲି ନ ବିଚାରି ବିଚାରୁଛନ୍ତି ଏକ ଇନ୍‌ଭେଷ୍ଟମେଣ୍ଟ ଭାବରେ। ପାଠ ପଢ଼ିସାରି ପିଲାମାନେ ଉପାର୍ଜନ ଆରମ୍ଭ କଲେ ମାସକୁ ମାସ ମିଳିଯାଉଥିବ ଖଟାଇଥିବା ଟଙ୍କା, ସୁଧମୂଳ ସହ।
କେତେକ ଅଳ୍ପ ସଂଖ୍ୟକ ଉଜ୍ଜ୍ୱଳ ବ୍ୟକ୍ତିକ୍ରମକୁ ବାଦ୍‌ ଦେଲେ ସଚରାଚର ଏଭଳି ଗଣିତ ପ୍ରାୟତଃ ଅଚଳ ମୁଦ୍ରା ପରି। ବିନିଯୁକ୍ତ ଅର୍ଥ ଫେରି ମିଳିବା ଦୂରେ ଥାଉ, ବିନିଯୋଗକାରୀ ମା’ବାପାଙ୍କ ପାଇଁ ସେମାନଙ୍କ ସନ୍ତାନମାନେ ମଧ୍ୟ ଦୁଷ୍ପ୍ରାପ୍ୟ ହୋଇଉଠନ୍ତି। କିଏ ନିଜ ସହପାଠୀ ବା ସହକର୍ମୀଙ୍କୁ ବିବାହ କରି ନିଜ ନିଜର ସଂସାର ବାନ୍ଧିବା ମଧ୍ୟରେ ମା’ବାପାଙ୍କ ପାଇଁ ସହଜଲଭ୍ୟ ହୋଇପାରନ୍ତି ନାହିଁ ତ ଆଉ କିଏ ମୋଟା ଅର୍ଥ ଉପାର୍ଜନ କରିବା ପାଇଁ ବିଦେଶ ଯାଆନ୍ତି ଯେ ସେଠାରୁ ଫେରି ଆସିବାକୁ ନିଜ ପ୍ରଗତିର ପରିପନ୍ଥୀ ବିଚାରନ୍ତି। ପିଲାଙ୍କ ପାଠପଢ଼ାରେ ନିଜ ସମ୍ବଳ ବିନିଯୋଗ କରି ଏକ ଉଜ୍ଜ୍ୱଳ ସମ୍ଭାବନାର ସ୍ବପ୍ନ ଦେଖୁଥିବା ମା’ବାପା ଦୁହେଁ ଅର୍ଥ ସହିତ ନିଜ ସନ୍ତାନମାନଙ୍କୁ ହରାଇ ନିଃସ୍ବ, କାଙ୍ଗାଳ ହୋଇଯା’ନ୍ତି, ବୃଦ୍ଧକାଳରେ ସନ୍ତାନଙ୍କଠୁ ସେବା ପାଇବା ତ ଦୂରର କଥା।
କେଇ ଦିନ ତଳେ ଶିକ୍ଷକତା ବୃତ୍ତିରୁ ଅବସର ନେଇଥିବା ଏ ଲେଖକର ଜଣେ ସହପାଠୀଙ୍କଠାରୁ ତାଙ୍କ ସନ୍ତାନସୁଖର ମୋହଭଙ୍ଗ ସମ୍ପର୍କରେ ଜାଣି ବାର୍ଦ୍ଧକ୍ୟର ବିଡ଼ମ୍ବନାକୁ ଗଭୀର ଭାବେ ବୁଝି ହୋଇଥିଲା। ବୃତ୍ତିଦାୟରେ ଇଞ୍ଜିନିୟର ବଡ଼ପୁଅ ଆମେରିକାରେ ଥିଲାବେଳେ କେନ୍ଦ୍ର ସରକାରଙ୍କ ଅଫିସର ପାହ୍ୟାର ସାନପୁଅ ରହୁଥିଲା ଦିଲ୍ଲୀରେ। ପିତା ଅସୁସ୍ଥା ପନତ୍ୀଙ୍କୁ ଦୀର୍ଘ ପନ୍ଦରଦିନ କାଳ ହସ୍ପିଟାଲରେ ଜଗି ରହିଥିବା ବେଳେ ପୁଅ ଦୁହଁିଙ୍କର ଦେଖା ନ ଥିଲା। ବାର୍ଦ୍ଧକ୍ୟର ରୋଗଶଯ୍ୟାରେ ବୁଢ଼ାବୁଢ଼ୀମାନେ ସେମାନଙ୍କ ପିଲାଙ୍କ ସାନ୍ନିଧ୍ୟରେ କି ଅବ୍ୟକ୍ତ ପୁଲକ ଲାଭ କରନ୍ତି କେଜାଣି, ସେଇ କିଛି ସମୟର ସଙ୍ଗଲାଭ ସେମାନଙ୍କ ବାର୍ଦ୍ଧକ୍ୟର ବେଦନାକୁ ଦୂରକୁ ଠେଲି ଦେଇଥାଏ। ଅଥଚ ବିଡ଼ମ୍ବନାର ବିଷୟ, ଏ କଥା ସଂସାରର ବେଶ୍‌ ଭାଗ ସନ୍ତାନ ମନରେ ହେଜିପାରନ୍ତି ନାହିଁ!
ସେଦିନ ଏ ଲେଖକ ନିକଟରେ ତା’ର ସେଇ ସହପାଠୀ ଜଣକ ତାଙ୍କ ସନ୍ତାନଙ୍କ ବିରୋଧରେ ବିଷୋଦ୍‌ଗାର କରି ଯେଉଁ ଶେଷକଥାଟି କହି ଚାଲିଯାଇଥିଲେ, ତାହା ବୋଧହୁଏ କେବଳ ତାଙ୍କର କଥା ନ ଥିଲା; ତାହା ଥିଲା ନିଜ ଶେଷକାଳରେ ସନ୍ତାନଙ୍କ ସାନିଧ୍ୟ ସୁଖରୁ ବଞ୍ଚତ୍ତ ହୋଇ ଦୁଃଖ ଭୋଗୁଥିବା ସଂସାରର ସବୁ ବାପାମାନଙ୍କ ମନ୍ଥିତ ଆମତ୍ାର ବ୍ୟଥିତ ଭାଷା। ସେ କହିଥିଲେ-”ବେଶି ପାଠ ପଢ଼ିଥିବା ପୁଅ ବଡ଼ ଚାକିରି କରେ, ମା’ବାପାଙ୍କଠୁ ଦୂରେଇଯାଏ ଓ ସବା ଶେଷରେ ସେ ଦୁହିଁଙ୍କୁ ଭୁଲିଯାଏ। ମାତ୍ର ପାଠ ପଢ଼ି ନ ଥିବା ବା କମ୍‌ ପଢ଼ିଥିବା ପୁଅ ମା’ବାପାଙ୍କ ପାଖରେ ରହେ, ତାଙ୍କ ସେବା କରୁ କି ନ କରୁ ରୋଗବ୍ୟାଧି ବେଳେ ପାଖରେ ତ ଥାଏ।“
ସହପାଠୀଙ୍କ ଆବେଗକୁ ବୁଝି ହେଉଥିଲେ ବି ବୁଝି ହେଉ ନ ଥିଲା ତାଙ୍କ ବିଚିତ୍ର ଯୁକ୍ତି! ପୁଅର ଭବିଷ୍ୟତ ନିର୍ମାଣ କରିବା ପ୍ରତ୍ୟେକ ପିତାର ନୈତିକ ଦାୟିତ୍ୱ। ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସେ ନିଜ ପୁଅ ଭବିଷ୍ୟତର ତଣ୍ଟି ମୋଡ଼ି ହତ୍ୟା କରିପାରିବ କେମିତି! ପାଠ ନ ପଢ଼ି ମା’ବାପାଙ୍କ ଉପରେ ବୋଝ ହୋଇ ରହୁଥିବା ପୁଅର ଜଞ୍ଜାଳ ପାଠ ପଢ଼ି ବାହାରେ ବସା ବାନ୍ଧି ମା’ବାପାଙ୍କୁ ଅବହେଳା କରୁଥିବା ପୁଅର ସ୍ବାର୍ଥପରତାଠାରୁ ଯେ ଅଧିକ ଯନ୍ତ୍ରଣାଦାୟୀ, ଏ କଥା ସେ ସିନା ବୁଝିପାରୁ ନାହାନ୍ତି; ସଂସାରର ଅନ୍ୟ ବହୁ ବାପାମାନେ ବୁଝିଥିବେ ନିଶ୍ଚୟ! ତେବେ ସେ ଯାହା ହେଉ, ପିତା-ପୁତ୍ର ସମ୍ପର୍କର ଏଇ ଦ୍ୱିବିଧତାର ସମାଧାନ କେଉଁଠି? ପିଲାମାନଙ୍କ ପାଇଁ ନିଜ ମୂଳଧନ ଖଟାଇଥିବା ପିତାର ପ୍ରତ୍ୟାଶା ଓ ମା’ବାପାଙ୍କ ପାଇଁ ନିଜ ବୃତ୍ତି ବେଉସା ପଛକୁ ଠେଲିଦେଇ ପାରୁନଥିବା ସନ୍ତାନଙ୍କ ବିବଶତା ମଧ୍ୟରେ ଏକ ବିକଳ୍ପ ମଧ୍ୟମ ପନ୍ଥା ଯେ ଥାଇପାରେ, ଏ କଥା ପିତା ଓ ପୁତ୍ର ଉଭୟ ଜାଣିବାକୁ ଚେଷ୍ଟା କରିବା ଜରୁରୀ।
ଏହି ପ୍ରେକ୍ଷାପଟରେ ଭାରତରେ ଜରାଶ୍ରମ ବ୍ୟବସ୍ଥା ବାର୍ଦ୍ଧକ୍ୟର ବିକଳ୍ପ ବିଧାନ ଭାବେ ବଢ଼ି ବଢ଼ି ଯାଉଥିବା ବେଳେ ସୁଇଜରଲାଣ୍ଡରେ ଯେଉଁ ନୂଆ ବିଚାରଟିଏ ମୁଣ୍ଡଟେକିଛି, ତାହା ଜଗତ ହିତାୟ ପାଇଁ ସମର୍ପିତ। କଥାଟି ଶୁଣିବାକୁ ମିଳିଥିଲା ସୁଇଜରଲାଣ୍ଡରେ ଗବେଷଣା କରୁଥିବା ଜଣେ ଭାରତୀୟ ପ୍ରଫେସରଙ୍କ ଠାରୁ। ସେ ଯେଉଁ ଘରେ ପେୟିଂ ଗେଷ୍ଟ ଭାବେ ଭଡ଼ାରେ ରହୁଥିଲେ, ସେଇ ଘରର ମାଲିକାଣୀ ଥିଲେ ଜଣେ ପଞ୍ଚଷଠି ବର୍ଷୀୟା ମହିଳା, ଯିଏ ଦୁଇବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇ ଏକା ରହୁଥିଲେ। ନିଜର ଏକମାତ୍ର ପୁଅ ସେଠାରୁ ପ୍ରାୟ ସାତଶହ ମାଇଲ ଦୂରରେ ନିଜ ବୃତ୍ତି କ୍ଷେତ୍ରରେ ରହୁଥିଲେ । ଭାରତୀୟ ପ୍ରଫେସର ଆଶ୍ଚର୍ଯ୍ୟ ହେଲେ, ଯେତେବେଳେ ସେ ଦେଖିଲେ ଘରର ମାଲିକାଣୀ ସେଇ ପରିଣତ ବୟସରେ ସେଠାରୁ କିଛି ଦୂର ଅନ୍ୟ ଏକ ଘରେ ଜଣେ ପଞ୍ଚାଅଶୀ ବର୍ଷୀୟ ବୃଦ୍ଧଙ୍କର ସେବା କରିବାକୁ ଦିନକୁ ଦୁଇଘଣ୍ଟା ସମୟ ଦେଉଛନ୍ତି। ପ୍ରଫେସର ଯେତେବେଳେ ଏହାର ପ୍ରକୃତ କାରଣ ଜାଣିଲେ, ଆଶ୍ଚର୍ଯ୍ୟ ହୋଇଗଲେ।
ପ୍ରଫେସରଙ୍କ ସନ୍ଦେହ ମୋଚନ କରି ମାଲିକାଣୀ ମାଡାମ୍‌ କହିଥିଲେ- ”ମୁଁ ଅର୍ଥ ରୋଜଗାର କରିବାକୁ ତାଙ୍କ ସେବା କରିବାକୁ ଯାଉନାହିଁ। ମୁଁ କେବଳ ସମୟ ବ୍ୟାଙ୍କରେ ମୋ ସେବା ଜମା ରଖୁଛି। ଯେତେ ସମୟ ମୁଁ କାହାର ସେବା କରିବି, ତାହା ମୋ ସେବା ଜମାଖାତାରେ ସଞ୍ଚତ୍ତ ହୋଇ ରହିବ। କାଲି ଯଦି ମୁଁ ଅସୁସ୍ଥ ହୋଇପଡ଼େ ବା ଅକର୍ମଣ୍ୟ ହୋଇଯାଏ, ତେବେ ସମୟ ବ୍ୟାଙ୍କରେ ଗଚ୍ଛିତ ମୋ ସେବାପୁଞ୍ଜିରୁ ମୁଁ ମୋ ଦରକାର ମୁତାବକ ସେବା ପାଇପାରିବି। ଅସୁସ୍ଥ ବୃଦ୍ଧଙ୍କର ସେବା ଏବେ ମୁଁ କରୁଥିଲା ପରି ସେତେବେଳେ ସମୟ ବ୍ୟାଙ୍କରେ ନିଜ ସେବା ଜମା କରୁଥିବା ଅନ୍ୟ କେହି ଜମାକାରୀ ମୋ ସେବାରେ ଲାଗିପାରିବେ।“
ବୃଦ୍ଧା ମାଲିକାଣୀଙ୍କ ଶେଷକଥା ଥିଲା ବେଶ୍‌ ଚିନ୍ତା ଉଦ୍ରେକକାରୀ। ”ପୁଅ ମୋର ଏତେ ଦୂରରେ ରହୁଛି। ପୁଣି ତା’ ବୃତ୍ତି ସହିତ ନିଜ ପିଲା ପରିବାରର ଦାୟିତ୍ୱ ମଧ୍ୟ ତା’ କାନ୍ଧରେ ବୋହିଚାଲିଛି। ସୁତରାଂ, ମୋ ସେବା କରିବାକୁ ସେ ସମୟ ପାଇବ କେଉଁଠୁ! ଏଥିପାଇଁ ମୋ ପାଇଁ ସେବାର ସଞ୍ଚୟ ମୋତେ ସୃଷ୍ଟି କରିବାକୁ ପଡ଼ୁଛି। ଆଜି ଅନ୍ୟ କାହାକୁ ସେବା ଯୋଗାଇ ଦେଉଥିବାରୁ କାଲି ଅନ୍ୟ କାହାର ସେବା ପାଇବାକୁ ଅଧିକାର ରଖୁଛି।“
କେଡ଼େ କଥା ନ କହିଲେ ସୁଇଜରଲାଣ୍ଡର ସେଇ ବିଧବା ବୃଦ୍ଧା! ଭାରତରେ ସେମିତି ହୁଅନ୍ତା ନାହିଁ! ଅର୍ଥ ଦେଣନେଣ ପାଇଁ ବିଭିନ୍ନ ବ୍ୟାଙ୍କ ଥିଲା ବେଳେ ସେବା ଦେଣନେଣ କରିବାକୁ ସମୟ ବ୍ୟାଙ୍କ ଖୋଲନ୍ତା ନାହିଁ! ନିଜ ସନ୍ତାନଙ୍କୁ ମଣିଷ କରାଇଥିବା ଜନ୍ମଦାତା ବା ଜନ୍ମଦାତ୍ରୀମାନେ ଖର୍ଚ୍ଚ କରିଥିବା ଟଙ୍କାର ହିସାବ ମାଗି ନିଜ ଆତ୍ମଜଙ୍କ ସହ ବ୍ୟବସାୟିକ ମୂଲଚାଲ କରନ୍ତେ ନାହିଁ ବା ନ ପାଇଲେ ନିଜର ଅସନ୍ତୋଷ ଓ ଅବସୋସ ପ୍ରକଟ କରି ଅଭିଶାପ ଦିଅନ୍ତେ ନାହିଁ! ପୁଣି ବାଧ୍ୟ ବିବଶତାରେ ନିଜ ମା’ବାପାଙ୍କୁ ଅବହେଳା କରୁଥିବା ସନ୍ତାନମାନେ ସମାଜରେ ନିନ୍ଦିତ ହୁଅନ୍ତେ ନାହିଁ। ସବୁଠୁ ବଡ଼ ଉପଲବ୍ଧି ହୁଅନ୍ତା, ନିଜ ପରିବାର ବାହାରେ ଅନ୍ୟ କାହାର ସେବାରେ ଆସିବାର ଯେଉଁ ଅମୃତମୟ ମୁଗ୍ଧ ଅନୁଭବ, ତାହା ମଣିଷକୁ ଏକ ଦିବ୍ୟ ଜୀବନର ସ୍ବାଦ ଆସ୍ବାଦନା କରିବାକୁ ପ୍ରେରିତ କରନ୍ତା! ଜୀବନ ହୋଇଉଠନ୍ତା ସାର୍ଥକ ଓ ପରିପୂର୍ଣ୍ଣ!
– ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣୀ, ଭୁବନେଶ୍ୱର,
ମୋ: ୮୮୯୫୬୨୪୧୦୫

Dharitri – Odisha’s No.1 Odia Daily

Share