ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ ବୋଝେଇ ଏକ ୭୦୯ ଟ୍ରକ୍ ଜବତ କରାଯାଇଛି। ବୁଧବାର ଭୋର୍ରୁ ଟିକ୍ରାପଡା ଅଞ୍ଚଳରୁ ସିନଖମନ ବଲାଙ୍ଗୀର ରାସ୍ତା ଦେଇ ଏକ ୭୦୯ ଟ୍ରକ୍ ବରଗଡ ଯାଉଥିଲା। ଚୋରା କାଠ ଏକ ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗକୁ ଖବର ମିଳିଥିଲା । ବଲାଙ୍ଗୀର ବନଖଣ୍ଡ ବିଭାଗ ଡିଏଫଓ ଅଜିତ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜର ନବୀନ ପଣ୍ଡାଙ୍କ ତତ୍ତ୍ବାବଧାନରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସିନଖମନ ଗାଁ ରାସ୍ତାରେ ଟ୍ରକ୍କୁ ଅଟକାଇ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର କଳା କେନ୍ଦୁ କାଠ ଥିବା ଦେଖିବାକୁ ମିଳିଥିଲା । ଆନ୍ତଃରାଜ୍ୟ କାଠ ମାଫିଆମାନେ ମୂଲ୍ୟବାନ କଳା କେନ୍ଦୁ ଗଣ୍ଡୀ କାଠକୁ ବଲାଙ୍ଗୀରରୁ ରାଜ୍ୟ ବାହାରକୁ କାଠ ଚାଲାଣ କରୁଥିବା ଜଣାଯାଇଛି । କାଠ ବୋଝେଇ ଟ୍ରକ୍ଟି ବଲାଙ୍ଗୀର ବରଗଡ ଦେଇ ପଶ୍ଚିମବଙ୍ଗକୁ ଯାଇଥାନ୍ତା ବୋଲି ଜଣାପଡ଼ିଛି। କାଠ ବୋଝେଇ ଟ୍ରକ୍ରୁ ୫ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଜବତ କେନ୍ଦୁଗଣ୍ଡୀ କାଠ ଓ ଟ୍ରକକୁ ବଲାଙ୍ଗୀର ରେଞ୍ଜ ଅଫିସ କ୍ୟାମ୍ପସକୁ ନିଆଯାଇଛି। ବନ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। କେନ୍ଦୁ ଗଣ୍ଡୀ କାଠର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ୭ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି l ଆନ୍ତଃରାଜ୍ୟ କାଠ ମାଫିଆଙ୍କ ଠାରୁ ଏକ ମାରଣାସ୍ତ୍ର ଖଣ୍ଡା ମଧ୍ୟ ଜବତ କରାଯାଇଛି l ଚଢ଼ାଉବେଳେ ଖଣ୍ଡା ଦେଖାଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାବେଳେ ସେମାନଙ୍କୁ ବନ ବିଭାଗ ଟିମ କାବୁ କରିନେଇଥିଲେl ଅଭିଯୁକ୍ତ ୫ଜଣଙ୍କ ମଧ୍ୟରୁ ୪ଜଣ ଲୋକନାଥ ସବଲ (୩୫) ସୁରେଶ ଭୋଇ ( ୪୪) ସୁଶିଲ ସେଠ ( ୪୫) ଦେବେନ୍ଦ୍ର ମହାପାତ୍ର (୫୬) ବରଗଡ଼ ଅଞ୍ଚଳର ହୋଇଥିବା ବେଳେ ମାନସ ଖମାରୀ (୩୫) ଟିକ୍ରାପଡା ସତିଘାଟ ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦୁ କାଠ ଚୋରା ବେପାରକୁ ନେଇ ଆନ୍ତଃରାଜ୍ୟ କାଠ ମାଫିଆଙ୍କ ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବି ଥିବା କୁହାଯାଉଛି । ଆସନ୍ତାକାଲି ଏ ନେଇ ଡିଏଫଓ ଏକ ଖବରଦାତା ସମ୍ମିଳନୀ କରି ଜଣାଇବେ ବୋଲି ଏସିଏଫ ମାନସ ରଞ୍ଜନ ବେହେରା କହିଛନ୍ତି ।