Categories: ଖେଳ

‘ବିରାଟଙ୍କ କାନ୍ଧରୁ କମ୍‌ ହୋଇଗଲା ବୋଝ’

ନୂଆଦିଲ୍ଲୀ,୨୧।୧୨: ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଥିବା ବିରାଟ କୋହଲିଙ୍କୁ ବର୍ତ୍ତମାନ କେବଳ ଟେଷ୍ଟର ଦାୟିତ୍ୱ ଦିଆଯାଇଛି। କୋହଲି ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିଛନ୍ତି। ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ କୋହଲିଙ୍କ ହାତରୁ ଦିନିକିଆ ଦଳର ନେତୃତ୍ୱକୁ ଛଡ଼ାଇ ନିଆଯାଇଛି। ଏପରିକି କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଉଭୟ ଫର୍ମାଟରେ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି।

ବିରାଟଙ୍କୁ ହଠାତ ଦିନିକିଆ ଦଳର ନେତୃତ୍ୱ ନେବାରୁ ହଟାଇବା ପରେ କ୍ରିକେଟରଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ ସାଉଦି ଏଭଳି ବିବୃତ୍ତି ଦେଇଛନ୍ତି ଯାହା କୋହଲିଙ୍କ ପ୍ରଶଂସକଙ୍କୁ ଆଘାତ ଦେଇପାରେ। ସାଉଦି କହିଛନ୍ତି, ସୀମିତ ଓଭର ଫର୍ମାଟରେ ଅଧିନାୟକ ନ ରହିବା ଯୋଗୁ କୋହଲିଙ୍କ କାନ୍ଧରୁ ଏକ ବଡ ବୋଝ କମ୍‌ ହୋଇଛି।

କିୱି ବୋଲର ସାଉଦି ଆମାଜନ ପ୍ରାଇମ ଭିଡିଓକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଭାରତର ଅଧିନାୟକ ହେବା କ’ଣ ଏବଂ ଏହା କେତେ ଚାପଯୁକ୍ତ ଥିଲା ମୁଁ ଜାଣେ ନାହିଁ। କେବଳ ଭାରତୀୟ ଟିମ୍‌ରେ ନୁହେଁ ବରଂ ଆଇପିଏଲ୍‌ରେ ମଧ୍ୟ ଚାପ ରହିଛି। ସେ ଏହା ଅନେକ ଥର କରିଛନ୍ତି। ଜଣେ ପ୍ରଶଂସକଙ୍କ ଦୃଷ୍ଟିକୋଣରୁ କୋହଲିଙ୍କୁ ନିଜର ସମସ୍ତ ଶକ୍ତି ଅଧିନାୟକତ୍ୱ (ଟେଷ୍ଟ), ବ୍ୟାଟିଂ ଏବଂ ଫିଲ୍ଡିଂ ଉପରେ ଲଗାଉଥିବା ଦେଖିବା ମଜାଦାର ହେବ। ମୁଁ ନିଶ୍ଚିତ ଯେ ତାଙ୍କ କାନ୍ଧରୁ ଓଜନ କମିଛି। କୋହଲି ଯେଉଁ ପ୍ରକାରର ବ୍ୟକ୍ତି, ସେ ତାଙ୍କର ଅବଶିଷ୍ଟ ଦିନଗୁଡ଼ିକରେ ନିଜ ଯୋଗଦାନ ଜାରି ରଖିବେ।

Share