ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଛାତ୍ରୀଛାତ୍ରମାନେ ସ୍ବାଗତ ସଙ୍ଗୀତ ଗାନ କରି ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ଅଧ୍ୟକ୍ଷତା ଓ ଇଞ୍ଜିନିୟର ଲକି ମାଷ୍ଟର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏମ୍ପି ଅଭିମନ୍ୟୁ ସେଠି, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଅତିରିକ୍ତ ଜିଲା ଶିକ୍ଷାଅଧିକାରୀ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ, ବ୍ଲକ ଶିକ୍ଷଧିକାରିଣୀ ଡକ୍ଟର ଶୁର୍କିତ୍ତି କର, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମିତିସଭ୍ୟା ନିରୁପମା ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ। ଶନିବାର କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ର ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏହି ସୁବର୍ଣ୍ଣ ଜୟନ୍ତୀକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

