ଟଳିଲା ଜମ୍ଭୀରା ବିପଦ -ବନ୍ୟାଞ୍ଚଳ ବୁଲିଲେ ବିଜେଡି ରାଜ୍ୟ ସମ୍ପାଦକ

ବାରିପଦା ଅଫିସ,୨୪ା୯- ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ଜମ୍ଭୀରା ନଦୀ ଓ ମହାନ୍ତି ନାଳରେ ସୃଷ୍ଟି ହୋଇଥିବା ବନ୍ୟା ବିପଦ ଟଳିଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ନଦୀର ଜଳପତ୍ତନ ହ୍ରାସ ପାଇଛି। ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଲୋକେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୁରୁବାର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ବିପନ୍ନଙ୍କୁ ସହାୟତା ପ୍ରଦାନ କରିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଦେବାଶିଷ ମାରାଣ୍ଡି ଓ ଅଞ୍ଚଳର ନେତୃବୃନ୍ଦ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସହାୟତା ଯୋଗାଇ ଦେଇଛନ୍ତି।
ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକର ଅନେକ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିଲା ା ବହୁ ଲୋକ ପାଣି ଘେରରେ ରହି ଯାଇଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଖାଦ୍ୟ ଯୋଗାଇ ଦିଆଯାଉଛି। ଏବେବି ବହୁ ଗ୍ରାମ ପାଣି ଘେରରେ ରହିଛି। ଚାଳ ଓ ମାଟିକାନ୍ଥ ଘର ପାଣିରେ ବୁଡ଼ି ଯାଇଥିବାରୁ ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କାନ୍ଥ ଭୁଶୁଡ଼ିବା ପରିସ୍ଥିତିକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି। ବନ୍ୟା ପାଣି ଛାଡ଼ି ଯାଇଥିବା ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘରେ ପାଣି ପଶି ଯାଇଥିବାରୁ ରୋଷେଇ କରି ଖାଇବା କଷ୍ଟକର ହୋଇପଡୁଛି। ଧାନ ଓ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗୃହପାଳିତ ପଶୁମାନଙ୍କ ଖାଦ୍ୟାଭାବ ଦେଖାଦେଇଛି। କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା ଜଳମଗ୍ନ ଅଞ୍ଚଳରେ ଓଡ୍ରାଫ୍‌ ଓ ଦମକଳ ବାହିନୀ ସଜାଗ ରହିିଥିବା ବେଳେ ଉଭୟ ବ୍ଲକ ବିଡିଓ, ତହସିଲଦାର ଓ ଥାନାଧିକାରୀମାନେ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।