ନୂଆଦିଲ୍ଲୀ,୨୭।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ ଏର ଯାତ୍ରା ଶେଷ ହୋଇଛି । ଶ୍ରୀଲଙ୍କା ଏ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳ ୮ ୱିକେଟ୍ରେ ପରାସ୍ତ ହୋଇଛି । ଭାରତ ୩୧୭ ରନ୍ର ବଡ଼ ସ୍କୋର କରିଥିଲେ ମଧ୍ୟ ଶ୍ରୀଲଙ୍କାର ଦୁଇ ଓପନରଙ୍କ ଶତକୀୟ ଇନିଂସ୍ ଆଗରେ ଦଳର ବୋଲରମାନେ ଫିକା ପଡ଼ିଥିଲେ । ଏହି ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ତିଳକ ବର୍ମା ନିରାଶା ପ୍ରକାଶ କରିବା ସହ ପରାଜୟର କାରଣ ବିଷୟରେ ମୁହଁ ଖୋଲିଛନ୍ତି।
ମ୍ୟାଚ୍ ପରେ ତିଳକ ବର୍ମା କହିଥିଲେ ଯେ, ଦଳ ପ୍ରାରମ୍ଭରେ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ତାହାକୁ ପଡ଼ିଆରେ ଠିକ୍ ଭାବେ କାର୍ଯ୍ୟକାରୀ କରିପାରିନଥିଲା। ଶ୍ରୀଲଙ୍କା ଦଳକୁ ବିଜୟର ଶ୍ରେୟ ଦେବା ସହ ଉଭୟ ଓପନର ଭଲ ବ୍ୟାଟିଂ କରିଥିବା ସେ କହିଥିଲେ।ତିଳକଙ୍କ କହିବା ଅନୁସାରେ, ସେ ସମସ୍ତ ବୋଲରଙ୍କୁ ପରୀକ୍ଷା କରିଥିଲେ, କିନ୍ତୁ ଦଳ ପାଇଁ ଦିନଟି ଭଲ ନଥିଲା। ପ୍ରଥମ ୧୫ ଓଭର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶ୍ରୀଲଙ୍କାକୁ ପ୍ରତି ଓଭରରେ ୬ କିମ୍ବା ତା’ଠାରୁ କମ୍ ରନ୍ରେ ରୋକିବା ଦଳର ଯୋଜନା ଥିଲା। ପରବର୍ତ୍ତୀ ସମୟରେ ପିଚ୍ ଧୀର ହୋଇଯିବ ବୋଲି ଆଶା ରହିଥିଲା। କିନ୍ତୁ ଏହି ଯୋଜନାକୁ ଦଳ ଠିକ୍ ଭାବେ ଲାଗୁ କରିପାରିନଥିଲା।
ତିଳକ ବର୍ମା କହିଛନ୍ତି ଯେ, ବୋଲିଂ ବିଭାଗରେ ଅଧିକ ସୁଧାର ଆବଶ୍ୟକ । ଭାରତୀୟ ଦଳ ୩୨୦ରୁ ୩୩୦ ରନ୍ ମଧ୍ୟରେ ସ୍କୋରକୁ ଭଲ ବୋଲି ଭାବିଥିଲା। ପ୍ରଥମ ୨୦ ଓଭରରେ ବଲ୍ ବ୍ୟାଟ୍କୁ ଭଲ ଭାବେ ଆସୁଥିବା ବେଳେ ପରେ ପିଚ୍ ଧୀର ହୋଇଯାଇଥିଲା। କିଛି ବଲ୍ ଅଟକି ଅଟକି ବ୍ୟାଟ୍କୁ ଆସୁଥିଲା। ଏହା ସତ୍ତ୍ୱେ ଦଳ ଲଗାତାର ୩ଟି ୱିକେଟ୍ ହରାଇବାରୁ କ୍ଷତି ସହିଥିଲା।
ତେବେ ପରେ ବ୍ୟାଟିଂ ବିଭାଗ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳର ବ୍ୟାଟିଂ ୟୁନିଟ୍ ଭଲ ପ୍ରଦର୍ଶନ କରିଥିବା ବେଳେ ବୋଲିଂ ବିଭାଗର ତ୍ରୁଟି ଉପରେ ଡ୍ରେସିଂ ରୁମ୍ରେ ବସି ଆଲୋଚନା କରିବାକୁ ପଡ଼ିବ ବୋଲି ତିଳକ କହିଥିଲେ । ସେମିଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ୍ ହରାଇ ୩୧୭ ରନ୍ କରିଥିଲା। ଅଭିଷେକ ଶର୍ମା, ତିଳକ ବର୍ମା ଓ ଶାହବାଜ ଅହମ୍ମଦ ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୪୦ ରନ୍ର ଯୋଗଦାନ ଦେଇଥିଲେ।
୩୧୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ଓପନର ଲସିଥ କ୍ରୁସପୁଲେ ଓ ସିନେଥ ଜୟବର୍ଦ୍ଧନେ ଦମ୍ଦାର ବ୍ୟାଟିଂ କରିଥିଲେ। କ୍ରୁସପୁଲେ ୧୦୭ ବଲ୍ରୁ ୧୧୬ ରନ୍ କରିଥିବା ବେଳେ ଜୟବର୍ଦ୍ଧନେ ୭୦ ବଲ୍ରୁ ୧୦୫ ରନ୍ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଉଭୟ ୧୭୪ ରନ୍ର ଭାଗୀଦାରି କରି ଶ୍ରୀଲଙ୍କାର ବିଜୟ ପଥ ସହଜ କରିଥିଲେ। ଶେଷରେ ଶ୍ରୀଲଙ୍କା ୮ ୱିକେଟ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା।