ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ତିଳକ ବର୍ମା। ଏହି ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟର ଅଫ ଦି ମ୍ୟାଚ’ ପୁରସ୍କାର ମିଳିଥିଲା। ଶନିବାର (୨୪ ଅକ୍ଟୋବର) କ୍ରାଇଷ୍ଟଚର୍ଚ୍ଚରେ ଟିମ ଇଣ୍ଡିଆ ଘରୋଇ ଦଳ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍ ପରାସ୍ତ କରିଥିଲା।
୧୮୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତକୁ ଶେଷ ୩ ଓଭରରେ ବିଜୟ ପାଇଁ ୪୬ ରନ ଆବଶ୍ୟକ ଥିଲା। ସେତେବେଳକୁ ଦଳର ୬ଟି ଉଇକେଟ୍ ପତନ ହୋଇସାରିଥିଲା। ତିଳକ ବର୍ମା ୧୩ଟି ବଲରେ ୧୭ ରନ ଏବଂ ନୀତୀଶ ରେଡ୍ଡୀ ୯ଟି ବଲରେ ୧୬ ରନ କରି ଖେଳୁଥିଲେ। ଏହା ପରେ ତିଳକଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ରନର ବର୍ଷା। ଅର୍ଦ୍ଧଶତକ ପୂରଣ କରିବା ସହ ଗୋଟିଏ ବଲ ବାକି ଥାଇ ସେ ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ପରେ ଚେଜ କରିବା ସମୟରେ ତାଙ୍କର ରଣନୀତି କ’ଣ ଥିଲା, ସେ ବିଷୟରେ ତିଳକ ଖୁଲାସା କରିଛନ୍ତି।
ମ୍ୟାଚ ପରବର୍ତ୍ତୀ ପୁରସ୍କାର ବିତରଣୀ ସମାରୋହରେ ତିଳକଙ୍କୁ ପଚରାଯାଇଥିଲା ଯେ, ୫ଟି ଉଇକେଟ୍ ପତନ ପରେ ଚେଜ କରିବା ସମୟରେ ତାଙ୍କର ମାନସିକତା କ’ଣ ଥିଲା? ଏହାର ଉତ୍ତରରେ ତିଳକ କହିଥିଲେ, ସେହି ସମୟରେ ମୁଁ କେବଳ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବା କଥା ଚିନ୍ତା କରୁଥିଲି। ଆଜିର ମ୍ୟାଚ ପୂର୍ବରୁ ମୁଁ କୋଚ ଗୌତମ ସାର୍ ଏବଂ ସିତାଂଶୁ କୋଟକ ସାରଙ୍କ ସହ କଥା ହେଉଥିଲି। ଆମ ଆଲୋଚନା ସମୟରେ ସେମାନେ ଏକ ଏପରି କଥା କହିଥିଲେ, ଯାହା ଉପରେ ଆମ ସମସ୍ତଙ୍କର ବିଶ୍ୱାସ ରହିଛି ଏବଂ ସମଗ୍ର ଭାରତ ମଧ୍ୟ ଆପଣଙ୍କ ଉପରେ ଭରସା କରେ। ଯଦି ଆପଣ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବେ, ତେବେ ଆମ ପାଇଁ ମ୍ୟାଚ ଜିତାଇବେ। କେବଳ ଏହି କଥା ହିଁ ମୋ ମନରେ ଚାଲୁଥିଲା।
ତିଳକ ଆହୁରି କହିଥିଲେ, ମୁଁ ଯଥାସମ୍ଭବ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲି। ଶେଷରେ ଠିକ ସେହିପରି ହେଲା, ଯାହା ଉପରେ ସମସ୍ତଙ୍କର ବିଶ୍ୱାସ ଥିଲା। ତେଣୁ ମୁଁ ନିଜକୁ ନେଇ ଗର୍ବିତ।
ନମନ ଧୀରଙ୍କ ସହ ଭାଗୀଦାରି ବିଷୟରେ ତିଳକ କହିଥିଲେ, ମୁଁ ନମନଙ୍କୁ କହୁଥିଲି ଯେ ଆମେ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବା। ଗତ ମ୍ୟାଚ ତୁଳନାରେ ଆଜି ପିଚ ଟିକିଏ ଧିମା ଥିଲା। ତେଣୁ ସ୍ପିନରମାନେ ବୋଲିଂ କରୁଥିବା ସମୟରେ ଆମକୁ ରନ ନେବା ପାଇଁ ଦ୍ରୁତ ଦୌଡ଼ିବାକୁ ପଡ଼ିବ ବୋଲି ମୁଁ ନମନଙ୍କୁ କହିଥିଲି। ଏହା ହିଁ ଆମର ଯୋଜନା ଥିଲା ଏବଂ ଆମେ ସେହି ଅନୁସାରେ ଖେଳିଥିଲୁ।
କିନ୍ତୁ ଦୁର୍ଭାଗ୍ୟବଶତଃ ମିଚେଲ ସାଣ୍ଟନରଙ୍କ ଶେଷ ଓଭରରେ ନମନ ଆଉଟ ହୋଇଗଲେ। ନଚେତ୍ ମୋତେ ଲାଗୁଛି, ଆମେ ୧୮ତମ ଓଭରରେ ହିଁ ମ୍ୟାଚ ଶେଷ କରିଦେଇଥାନ୍ତୁ। ଏହି ସଫଳତାର ଶ୍ରେୟ ନମନଙ୍କୁ ମଧ୍ୟ ଯିବ। ସେ ବହୁତ ଭଲ ବ୍ୟାଟିଂ କରିଥିଲେ। ଏହା ପରେ ଆଜି ହାଇଦ୍ରାବାଦର ପୁଅମାନେ (ନୀତୀଶ ରେଡ୍ଡୀ ଓ ମୁଁ) କମାଲ କରିଦେଲୁ। ମ୍ୟାଚକୁ ବିଜୟ ପର୍ଯ୍ୟନ୍ତ ନେଇପାରିଥିବାରୁ ଆମେ ବହୁତ ଖୁସି।