ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ କ୍ୟାଚ୍ ନେଇଥିବା ବିଶ୍ୱର ପ୍ରଥମ ଫିଲ୍ଡର ହେବାର ଗୌରବ ହାସଲ କରିଛନ୍ତି।
ତିଲକ ଏହି ବର୍ଷ ଏପର୍ଯ୍ୟନ୍ତ ମୋଟ ୨୬ଟି କ୍ୟାଚ୍ ଆୟତ୍ତ କରିସାରିଛନ୍ତି, ଯାହାକି ଗୋଟିଏ ବର୍ଷରେ କୌଣସି ବି ଫିଲ୍ଡରଙ୍କ ଦ୍ୱାରା ନିଆଯାଇଥିବା ସର୍ବାଧିକ କ୍ୟାଚ୍। ଏହି ସଫଳତା ସହ ସେ ଇଣ୍ଡୋନେସିଆର ଡାନିଏଲସନ୍ ହାଭୋଙ୍କୁ ପଛରେ ପକାଇଦେଇଛନ୍ତି, ଯିଏକି ୨୦୨୫ରେ ୨୫ଟି କ୍ୟାଚ୍ ନେଇ ପୂର୍ବ ରେକର୍ଡ ନିଜ ନାମରେ ରଖିଥିଲେ। ନ୍ୟୁଜିଲ୍ୟାଣ୍ଡ ଇନିଂସର ପ୍ରଥମ ତିନି ଓଭର ମଧ୍ୟରେ ଟିମ୍ ସାଇଫର୍ଟ ଏବଂ ଡେରିଲ୍ ମିଚେଲଙ୍କ ଦୁଇଟି ଶାଣିତ କ୍ୟାଚ୍ ଧରି ତିଲକ ଏହି ଐତିହାସିକ ସଫଳତା ହାସଲ କରିଥିଲେ।
ସୂଚନାଯୋଗ୍ୟ, ତିଲକ ବର୍ମା ଜଣେ ଚମତ୍କାର ଫିଲ୍ଡର ଭାବେ ପଡ଼ିଆର ସବୁ ପୋଜିସନ୍ରେ ଫିଲ୍ଡିଂ କରିବାର ଦକ୍ଷତା ରଖିଛନ୍ତି। ସେ ପାୱାରପ୍ଲେରେ ଲଙ୍ଗ୍ ଅଫ୍ ଏବଂ ଇନିଂସର ଶେଷ ଭାଗରେ ଲଙ୍ଗ୍ ଅନ୍ ଓ ଲଙ୍ଗ୍ ଅଫ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫିଲ୍ଡିଂ କରିଥାନ୍ତି। ଫିଲ୍ଡିଂ ବ୍ୟତୀତ ସେ ଜଣେ ବିସ୍ଫୋରକ ବ୍ୟାଟର ମଧ୍ୟ, ଯଦିଓ ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ନମ୍ବରରେ ବ୍ୟାଟିଂ ନକରିବା କାରଣରୁ ନିକଟ ଅତୀତରେ ତାଙ୍କ ଫର୍ମରେ ସାମାନ୍ୟ ଅବନତି ଦେଖାଦେଇଛି।