Categories: ବାଣିଜ୍ୟ

ଭାରତରେ କାରବାର ବନ୍ଦ କଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ୍‌ ଡାନ୍ସ ଭାରତରେ ଏହାର କାରବାର ବନ୍ଦ କରିଛି। ସେହିଭଳି ଘରୋଇ ବଜାରରେ କାମ କରୁଥିବା ପ୍ରାୟ ୨ ହଜାର କର୍ମଚାରୀଙ୍କୁ ଏହି କମ୍ପାନୀ ଛଟେଇ କରିଛି। ଭାରତ ସରକାର ଚାଇନା ଭିତ୍ତିକ ଉକ୍ତ କମ୍ପାନୀ ଦ୍ୱାରା ପରିଚାଳିତ ମୋବାଇଲ ଆପ୍‌ ଟିକ୍‌ଟକ୍‌କୁ ବ୍ୟାନ୍‌ କରିଛନ୍ତି। ଏହି ଆପ୍‌ ଭାରତରେ ପୁଣି ଥରେ କାର୍ଯ୍ୟକ୍ଷମ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନଜରରେ ରଖି କମ୍ପାନୀ ଭାରତ କାରବାର ଛାଡିଥିବା କୁହାଯାଉଛି। ଟିକ୍‌ଟକ୍‌ର ଗ୍ଲୋବାଲ ଅନ୍ତରୀଣ ମୁଖ୍ୟ ଭେନେଷା ପାପ୍‌ସ ଏବଂ ଗ୍ଲୋବାଲ ବିଜ୍‌ନେସ୍‌ ସଲ୍ୟୁଶନ ଉପସଭାପତି ବ୍ଲେକ ଚାଣ୍ଡଲି ଏକ ମିଳିତ ଇମେଲ୍‌ ଯୋଗେ କର୍ମଚାରୀଙ୍କୁ ଏ ନେଇ ଅବଗତ କରାଇଛନ୍ତି। କମ୍ପାନୀ ଏହାର ଟିମ୍‌ ସାଇଜକୁ କମାଇବା ଯୋଜନା ରଖିଛି। ଏହାକୁ ଧ୍ୟାନରେ ରଖି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଏଭଳି ନିଷ୍ପତ୍ତି ଦ୍ୱାରା ଭାରତରେ କାମ କରୁଥିବା ପ୍ରାୟ ସବୁ କର୍ମଚାରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି। ବାଇଟ୍‌ ଡାନ୍ସର ଜଣେ ଅଧିକାରୀଙ୍କ କହିବା ମୁତାବକ, କମ୍ପାନୀ ଭାରତରେ ଏହାର ସବୁ କର୍ମଚାରୀଙ୍କୁ ଛଟେଇ କରିବ। ଅପରପକ୍ଷରେ କମ୍ପାନୀ ଭାରତ ସରକାରଙ୍କ ସହ ସମ୍ପର୍କରେ ରହିବ ବୋଲି ସୂଚନା ମିଳିଛି।

Share