Categories: ଜାତୀୟ

ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୧: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସେଠାରେ ଭିଆଇପି ଅଭ୍ୟର୍ଥନା ମିଳୁଥିବା ଅଭିଯୋଗକ୍ରମେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି। ଜୈନଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିଲା। ଏଥିପାଇଁ ତିହାର ୭ ନମ୍ବର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ଦାନିସ୍କଙ୍କୁ ନିଲମ୍ବନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଦିଲ୍ଲୀ ସରକାରଙ୍କ ଜେଲ୍‌ ବିଭାଗରେ ଅନିୟମିତତା ଚାଲିଥିବା ଜଣାପଡ଼ିଥିଲା। ମନିଲଣ୍ଡରିଂ ମାମଲାରେ ଜୈନଙ୍କ ଜାମିନ ଆବେଦନ ବିରୋଧରେ ସ୍ବତନ୍ତ୍ର ବିଚାରପତି ବିକାଶ ଧୁଲ୍‌ଙ୍କ ଅଦାଲତରେ ଯୁକ୍ତି ଉପସ୍ଥାପନ ବେଳେ ଇଡି ଉପରୋକ୍ତ ଅଭିଯୋଗ ଆଣିଥିଲା। କେତେଜଣ ଅଜଣା ବ୍ୟକ୍ତି ଜୈନଙ୍କୁ ମାଲିସ୍‌ କରିବା ସହ ତାଙ୍କୁ ସ୍ବତନ୍ତ୍ର ଖାଦ୍ୟ ଦିଆଯାଉଥିଲା ବୋଲି ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ୍‌.ଭି. ରାଜୁ କହିଥିଲେ। ଗତ ମେ’ ୩୦ରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ଅଧିକାଂଶ ସମୟ ହସ୍ପିଟାଲରେ ରହୁଥିଲେ କିମ୍ବା ଜେଲ୍‌ରେ ବିଭିନ୍ନ ସୁବିଧା ଉପଭୋଗ କରୁଥିବାର ସିସିଟିଭି ଫୁଟେଜ୍‌ ଏଏସ୍‌ଜି ଅଦାଲତଙ୍କୁ ଦେଖାଇଥିଲେ।

Share