ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ଗାଡ଼ି ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଚାଳକଙ୍କଠାରୁ ମୋଟ ୭ ହଜାର ଟଙ୍କାର ଚାଲାଣ ଆଦାୟ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୫୦ଟି ଗାଡ଼ି ଯାଞ୍ଚ କରାଯାଇଥିଲା। ଏଥିରେ ୨ ଜଣ କାର ଚାଳକ ସିଟ୍ ବେଲ୍ଟ ପିନ୍ଧି ନ ଥିବାରୁ ସେମାନଙ୍କଠାରୁ ମୋଟ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ସେହିପରି ୪ ଜଣ ମୋଟରସାଇକେଲ ଚାଳକ ହେଲମେଟ୍ ପିନ୍ଧି ନ ଥିବାରୁ ସେମାନଙ୍କଠାରୁ ୪ ହଜାର ଟଙ୍କା ଚାଲାଣ କାଟାଯାଇଥିଲା। ଏଥିସହ ସହରରେ ରାସ୍ତା ଉପରେ ଅବୈଧ ଭାବେ ମୋଟରସାଇକେଲ ପାର୍କିଂ କରିଥିବା ୨ ଜଣ ଚାଳକଙ୍କଠାରୁ ଜଣପିଛା ୫୦୦ ଟଙ୍କା ହିସାବରେ ମୋଟ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ଅନ୍ୟପକ୍ଷରେ, ହେଲମେଟ୍ ପିନ୍ଧି ନିୟମ ମାନି ଗାଡ଼ି ଚଳାଉଥିବା ବାଇକ୍ ଚାଳକମାନଙ୍କୁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ରଶଂସା କରିଥିଲେ।ଏନେଇ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗ କହିଛନ୍ତି ଯେ, ଟ୍ରାଫିକ୍ ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ଏଭଳି ଯାଞ୍ଚ ନିୟମିତ ଜାରି ରହିବ। ହେଲମେଟ୍ ବିନା ବାଇକ୍ ଚଳାଇଲେ କିମ୍ବା ସିଟ୍ ବେଲ୍ଟ ବ୍ୟବହାର ନକଲେ ନିୟମ ଅନୁଯାୟୀ ଚାଲାଣ କାଟାଯିବ। ଏହାସହ ସହରରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବଦଳରେ ରାସ୍ତା ଉପରେ ଗାଡ଼ି ପାର୍କିଂ କଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଯାଞ୍ଚ ଅଭିଯାନରେ ଏଏସ୍‌ଆଇ ଶ୍ୟାମସୁନ୍ଦରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଓ ହୋମଗାର୍ଡମାନେ ସାମିଲ ଥିଲେ।

 

Dharitri – Odisha’s No.1 Odia Daily