ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦାରିଙ୍ଗବାଡ଼ି,୨୪ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ବଡ଼ଦିନ ପାଳନ ପାଇଁ ସମସ୍ତ ପ୍ରାର୍ଥନା ଗୃହ ସମେତ ଚର୍ଚ୍ଚରେ ସାଜସଜ୍ଜା କରାଯାଇଛି।  ରାତିରେ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ସ୍ବାଗତ କରାଯିବା ପାଇଁ ବାଇବେଲ୍‌ ପଠନ, ସାମୁହିକ ପ୍ରାର୍ଥନା, ସଂଗୀତ ଭଜନ ଗାନ କରିବା ସହ ଶାନ୍ତି ମୈତ୍ରୀର ବାର୍ତ୍ତା ବଣ୍ଟନ କରାଯାଇଛି। ମଧ୍ୟରାତ୍ରିରେ କେକ୍‌ କଟାଯାଇ ସେଲିବ୍ରେଶନ କରାଯିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏଥିପାଇଁ ଚର୍ଚ୍ଚଗୁଡ଼ିକରେ ଯଜ୍ଞର ବ୍ୟବସ୍ଥା କରଯାଇଥିଲା। ସେହିପରି ଶନିବାର ସନ୍ଧ୍ୟାରେ ଘରେ ଘରେ ଖ୍ରୀଷ୍ଟାବଲମ୍ବୀମାନେ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ସ୍ବାଗତ କରିବା ପାଇଁ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। କିଭଳି ଏହି ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ କରାଯାଇପାରିବ ସେନେଇ ଦାରିଙ୍ଗବାଡ଼ି ଏବଂ ବାମୁଣୀଗାଁ ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରିଛି। ସିମନବାଡ଼ି ସମେତ ଦାରିଙ୍ଗବାଡ଼ି, ବାମୁଣୀଗାଁ, ଦାସିଙ୍ଗବାଡ଼ି, ଗଦାପୁର, କାଟିଙ୍ଗିଆ ଆଦି ୨୫ଟି ପଞ୍ଚାୟତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।