ରାସ୍ତାରେ ବାଘଛୁଆ, ଭିଡିଓ ଭାଇରାଲ

  1. ଚୌଦ୍ୱାର,୨୭।୧୧(ଡି.ଏନ୍‌.ଏ.): କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଦିନତମାମ ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟାରେ ୨ଜଣ ଯୁବକ କାର୍‌ ଯୋଗେ ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଏହି ଫାର୍ମକୁ ଯାଉଥିଲେ। ଫାର୍ମର କିଛିବାଟ ପୂର୍ବରୁ ଗାଡ଼ି ଆଲୁଅରେ ବାଘଛୁଆ ସଦୃଶ ୨ଟି ଜନ୍ତୁକୁ ଦେଖି ତାହାର ଭିଡିଓ କରିଥିଲେ। ପରେ ଏହି ଭିଡିଓ ଜଣେ ଗଣମାଧ୍ୟମ ପ୍ରତିନିଧିକୁ ଦେବା ପରେ ତାହା ଭାଇରାଲ ହୋଇଥିଲା। ଗୁରୁବାର ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଓ ନିକଟସ୍ଥ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚତ୍ଥିଲେ। ପରେ ମଙ୍ଗରାଜପୁର ଫରେଷ୍ଟର ମାଣିକ ମୁଣ୍ଡା ଓ ବୈରୀ ରେଞ୍ଜ ଅଫିସର ଅଭିରାମ ଜେନା ପହଞ୍ଚି ଘଟଣାର ଅନୁସନ୍ଧାନ କରି ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ରାସ୍ତାରେ ବନ ବିଭାଗ ତରଫରୁ ସିସି କ୍ୟାମେରା ଲଗାଯାଇଥିବା ମଙ୍ଗରାଜପୁର ଫରେଷ୍ଟର ମୁଣ୍ଡା ସୂଚନା ଦେଇଛନ୍ତି। ହେଲେ ବାଘଛୁଆ ଆସିବା କଥାକୁ ବନ ବିଭାଗ ସହଜରେ ଗ୍ରହଣ କରିପାରି ନାହଁି। ବୈରୀ ରେଞ୍ଜ ଅଫିସର ଜେନାଙ୍କ କହିବାନୁଯାୟୀ କଟକ ବନଖଣ୍ଡ ଅଧୀନରେ ଥିବା ଜଙ୍ଗଲରେ ବାଘ ନାହାନ୍ତି। ଏଥିସହ ଏହା ବାଘଛୁଆ କି ଅନ୍ୟ କୋଣସି ଜୀବ ତାହା ଭିଡିଓରେ ସ୍ପଷ୍ଟ ହେଉ ନାହଁି। ଅଧିକ ତଦନ୍ତ ପାଇଁ ଭିଡିଓକୁ ଭୁବନେଶ୍ୱର ପଠାଯାଇଛି। ଏଥି ପାଇଁ ବନ ବିଭାଗ କର୍ମଚାରୀ ସଜାଗ ରହିବା ସହ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ ରହିବା ପାଇଁ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିବା ସେ କହିଛନ୍ତି।