ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ କ୍ୟାମେରାରେ ମହାବଳ ବାଘର ଗତିବିଧି କଏଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା । ପାଞ୍ଚଦିନ ହେଲା ବିଳାପୁଟ ଜଙ୍ଗଲ ପାରିପାର୍ଶ୍ୱରେ ଦିନ ରାତି ଜଗି ରହିଛନ୍ତି ବନ ବିଭାଗର କର୍ମଚାରୀ । ସ୍ଥିତି ସମୀକ୍ଷା କରୁଛନ୍ତି ଡ଼ିଏଫଓ ସିଦାର୍ଥ ଜୈନ। ଚାଷ ଜମିକୁ ଯିବାକୁ ଲୋକେ ଭୟ କରୁଥିବା ମଧ୍ୟ ଦେଖାଦେଇଛି ।
କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତର ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଏକ ମହାବଳ ବାଘ ଦୁଇଟି ବଳଦଙ୍କୁ ମାରି ଖାଇବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସନ୍ଧ୍ୟା ହେଲେ ଅଞ୍ଚଳରେ ବିଦ୍ୟୁତ କାଟ୍ କରିବା ଦ୍ୱାରା ଭୟର ବାତାବରଣ ଦେଖାଦେଉଛି । ଶନିବାର ଦିନ ହାତୀମାଳି ପାହାଡ଼ ତଳେ ବିଳାପୁଟ ଗ୍ରାମର ରଘୁନାଥ ସାଉଁତା ଓ ସାନା ଯାନୀଙ୍କ ୨ଟି ବଳଦଙ୍କୁ ବାଘ ମାରି ଖାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ସଂଯୋଗ କରାଯାଇଛି ।
ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ବେହେରା, ଭିଏସ୍ ଜଗନ୍ନାଥ ନାୟକ, ଏଲ୍ଆଇ ଜଗନ୍ନାଥ ସାଗର ଓ ପ୍ରମୋଦ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁଇ ବଳଦ ବାଘ ମାରିଥିବା ସ୍ପଷ୍ଟ କରିଛନ୍ତି । କ୍ଷତିଗ୍ରସ୍ତ ୨ ବଳଦ ମାଲିକ ରଘୁନାଥ ସାଉଁତା ଓ ସାନା ଯାନୀଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦେବାକୁ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଭିତରଗଡ଼ ପଞ୍ଚାୟତର ଯାନୀଗୁଡ଼ା ଗ୍ରାମ ନିକଟରେ ବାଘର ପାଦଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ଝାଡ଼େଶ୍ୱର ଯାନୀ, ଫରେଷ୍ଟ ଗାର୍ଡ ଶିବପ୍ରସାଦ ବେହେରା ଓ ସ୍କ୍ୱାଡ୍ କର୍ମଚାରୀମାନେ ଯାନୀଗୁଡ଼ା ଗ୍ରାମକୁ ଯାଇ ପାଦଚିହ୍ନର ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନରୁ ଏହା ଏକ ମହାବଳ ବାଘର ପାଦଚିହ୍ନ ବୋଲି ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।
ରାତି ସମୟରେ ଘରୁ ବାହାରକୁ ନ ବାହାରିବା ସହ ଜଙ୍ଗଲ ଭିତରକୁ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ଏଥିସହ ଗାଈ, ଗୋରୁ, ଛେଳି ଓ ମେଣ୍ଢାମାନଙ୍କୁ ଜଙ୍ଗଲକୁ ନ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ କୋରାପୁଟ ଡିଏଫ୍ଓ ସିଦ୍ଧାର୍ଥ ଜୈନ ଓ ଏସିଏଫ୍ ଜଗନ୍ନାଥ ବିଷୋୟୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସଜାଗ ରହିବାକୁ କହିଛନ୍ତି। ବାଘର ଗତିବିଧିକୁ ଅନୁସରଣ କରିବା ପାଇଁ ବନ କର୍ମଚାରୀଙ୍କ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।