ବାରିପଦା,୧୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ତିଳବାଡ଼ି ଗ୍ରାମ ନିକଟରେ ରବିବାର ଅପରାହ୍ନରେ ଏକ ବାଘ ଆକ୍ରମଣରେ ୪ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଯାଇଛି। ଖବରପାଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ (ଏସିଏଫ୍) ଫାଲଗୁନୀ ବେହେରା ସୂଚନା ଦେଇଛନ୍ତି। ତେବେ ମୃତ ଛେଳିଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆକ୍ରମଣ କରିଥିବା ବନ୍ୟଜନ୍ତୁର ପ୍ରଜାତି ଓ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଗ୍ରାମ ନିକଟରେ ବାଘ ବୁଲୁଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି। ଏକୁଟିଆ ଜଙ୍ଗଲକୁ କିମ୍ବା ଗଁା ବାହାରକୁ ନ ଯିବା ସହ ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସମ୍ପୃକ୍ତ ଅଞ୍ଚଳରେ ବନ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି। ଶିମିଳିପାଳ ପାଦଦେଶରେ ବାରମ୍ବାର ବନ୍ୟଜନ୍ତୁଙ୍କ ଗତିବିଧି ଓ ଗୃହପାଳିତ ପ୍ରାଣୀଙ୍କ ଉପରେ ଆକ୍ରମଣ ଘଟଣା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି। ତେଣୁ ଗ୍ରାମବାସୀଙ୍କ ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ତତ୍ପରତା ଜରୁରୀ ହୋଇପଡ଼ିଛି।