ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ ସୋମବାର ରାତିରେ ଦେଓସିଂ ମାଝିଙ୍କ ଏକ ବଳଦକୁ ଗୁହାଳରୁ ଟାଣି ନେଇ କଲରାପତରିଆ ବାଘ ଖାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଘଟଣାସ୍ଥଳରେ ନୂଆପଡା ବନ ବିଭାଗ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ବଳଦର ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଛି। ସୂଚନା ମୁତାବକ ସୋମବାର ଦେଓସିଂ ବଳଦ ଜଙ୍ଗଲରୁ ଚରାଇ ଆଣି ସନ୍ଧ୍ୟାରେ ଗୁହାଳରେ ବନ୍ଧି ରଖିଥିଲେ। ସକାଳେ ଉଠି ଦେଖିବା ବେଳେ ଗୁହାଳରେ ବଳଦ ନ ଥିଲା। ଖୋଜାଖୋଜି କରିବା ପରେ ଘରଠାରୁ ଶହେ ମିଟର ଦୂର ଗାଁ ମୁଣ୍ଡରେ ବଳଦ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରିବାର କିମ୍ବା ଗ୍ରାମବାସୀ ବାଘକୁ ଦେଖିନାହାନ୍ତି। ହେଲେ ବାଘ ଚିହ୍ନ ରହିଥିବା ଜଣାପଡ଼ିଛି। ବଳଦକୁ କ୍ଷତବିକ୍ଷତ କରିଥିବାରୁ ବାଘ ବୋଲି ସନ୍ଦେହ କରାଯାଉଛି। ପାହାଡ ତଳି ଗାଁରେ ବାଘ, ଭାଲୁ, ହାତୀ ଆତଙ୍କରେ ଲୋକେ ଅତିଷ୍ଠ ହୋଇଗଲେଣି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଲୋକେ ନିଜ ଜମିକୁ ଯିବା ପାଇଁ ଭୟ କରୁଛନ୍ତି। ଏଥିପ୍ରତି ବନ ବିଭାଗ ଲୋକଙ୍କୁ ସଚେତନ କରି ଜଙ୍ଗଲ ଜନ୍ତୁ ପ୍ରତି ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି ହେଉଛି। ଜଙ୍ଗଲ ସବୁ ପଦା ହେବାରେ ଲାଗିଛି। ଖାଦ୍ୟ ଅନ୍ବେଷଣରେ ସବୁ ଜୀବଜନ୍ତୁ ଗାଁ ମୁହାଁ ହୋଇ ଆକ୍ରମଣ କରିବା ସହ ଶିକାର ମଧ୍ୟ ହେଉଛନ୍ତି ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ନୂଆପଡା ବନ ବିଭାଗ ଫରେଷ୍ଟର ଚୂଡାନାଥ ସରାଫଙ୍କୁ ପଚାରିବାରୁ ବାଘକୁ କେହି ଦେଖିନାହାନ୍ତି। ପାଦ ଚିହ୍ନରୁ ଏହା କଲରାପତରିଆର ଚିହ୍ନ ବୋଲି ଆମେ ସ୍ପଷ୍ଟ ହେଉଛୁ। ଏହି ଗାଁ ଜଙ୍ଗଲକୁ ଲାଗି ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛୁ। ଆମ ଟିମ୍‌ ସବୁବେଳେ ସଜାଗ ହୋଇ ରହିଛି ବୋଲି କହିଥିଲେ।