ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ ଡ଼ିମିରିଗୁଡା ନିକଟରେ ବାଘଟି ଗୋଟିଏ ବାଛୁରୀକୁ ମାରି ଖାଇଥିବା ବେଳେ ଘଟଣା ସ୍ଥଳରେ ପାଦ ଚି଼ହ୍ନ ଠାବ କରାଯାଇଛି।
ଗ୍ରାମବାସୀମାନେ ତୁରନ୍ତ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ମୁନିଗୁଡା ରେଞ୍ଜର ପ୍ରବୀଣ ଦାସ ଓ ଫରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀଙ୍କ ସମେତ ଅନ୍ୟ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପାଦ ଚି଼ହ୍ନଟି ବାଘର ହୋଇଥିବା ସନ୍ଦେହ କରିଛନ୍ତି। ତେବେ ସ୍ପଷ୍ଟ ହେବା ପାଇଁ ଘଟଣା ସ୍ଥଳରେ ଟ୍ରାପ୍ କ୍ୟାମେରା ଖଞ୍ଜା ଯାଇଥିବା ନେଇ ରେଞ୍ଜର ପ୍ରବୀଣ ସୂଚନା ଦେଇଛନ୍ତି। ଘଟଣା ପରେ ସେହି ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟଭୀତ ଥିବା ଜଣାପଡିଛି।

