ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ପର୍ଯ୍ଯଟନ ଜୋନରେ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି । ଏହା ଏକ ଅଣ୍ଡିରା ମହାବଳ ବୋଲି ଜଣା ପଡ଼ିଛି । ସୋମବାର ଅପରାହ୍ନ ପ୍ରାୟ ଶେଷ ଭାଗରେ ବାଘଟି ଜଙ୍ଗଲ ତଥା ପରିବେଶ ନିରୀକ୍ଷଣ ପାଇଁ ଅଭୟାରଣ୍ୟର ପର୍ଯ୍ୟଟନ ଜୋନକୁ ଚାଲିଆସିଥିଲା। ସେଠାରେ ଏକ ସମ୍ବର ଶିକାର କରିଥିବା ଜଣାପଡିଛି । ଏହି ସମୟରେ ସେଠାରେ ଉପସ୍ଥିତ ପ୍ରାୟ ୪ଟି ସଫାରି ଗାଡ଼ିର ପାଖାପାଖି ୪୦ ଜଣ ପର୍ଯ୍ୟଟକ ବାଘଟିକୁ ଦେଖି ଆନନ୍ଦିତ ହୋଇଥିଲେ ।
ଏହା ପରେ ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍ ଜୋନରେ ଏହି ଅଣ୍ଡିରା ମହାବଳ ବାଘଟି ଏକ ସମ୍ବର ହରିଣକୁ ସଫଳତାର ସହ ଶିକାର କରିଥିବା ସ୍ପଷ୍ଟ ହୋଇଛି। ଅଭୟାରଣ୍ୟ ପରିସରରେ ବାଘର ଏଭଳି ସ୍ୱାଭାବିକ ଶିକାର ପ୍ରକ୍ରିୟା ଏବଂ ଜଙ୍ଗଲ ସହ ତାର ସହଜ ଅନୁକୂଳନ ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିକୋଣରୁ ଏକ ଶୁଭ ସଙ୍କେତ ବୋଲି ବିବେଚନା କରାଯାଉଛି। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, ବାଘର ଉପସ୍ଥିତି ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି କରାଯାଇଛି। ବିଶେଷ କରି ନଦୀକୂଳିଆ ପାଟ୍ରୋଲିଂ ସହିତ ଅଭୟାରଣ୍ୟର ପଶ୍ଚିମ ସୀମାନ୍ତରେ ସୁରକ୍ଷା ବୃଦ୍ଧି କରାଯାଇଛି। ବେଆଇନ ଶିକାର, ଫାଶ ବା ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ପୋଲିସ, ସ୍ଥାନୀୟ ଜନସାଧାରଣ ଓ ଖବରଦାତା ନେଟୱର୍କକୁ ସତର୍କ କରାଯାଇଛି।
କୌଣସି ବ୍ୟକ୍ତି ଏ ସମ୍ପର୍କରେ ତୁରନ୍ତ ତଥା ନିର୍ଭୁଲ ସୂଚନା ପ୍ରଦାନ କଲେ ତାଙ୍କୁ ୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ଏବଂ ଖବରଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଘୋଷଣା ହୋଇଛି। ଏହି କାର୍ଯ୍ୟରେ ବରଗଡ଼ ଏବଂ ସମ୍ବଲପୁର ଜିଲା ପୋଲିସ ମଧ୍ୟ ଆବଶ୍ୟକୀୟ ତଥ୍ୟ ଓ ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ତେବେ ମହାବଳର ନିରାପତ୍ତା ଓ ସୁରକ୍ଷାକୁ ଆଖି ଆଗରେ ରଖି ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟକୁ ସାର୍ବଜନୀନ ନକରି ଗୋପନୀୟ ରଖାଯାଇଛି।
କୋଲକାତାରୁ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଜୟଦେବ ସାହା ସଫାରି ଭ୍ରମଣ ସମୟରେ ବାଇସନ, ଚିତ୍ରା ହରିଣ ଓ ସମ୍ବର ଦେଖିବା ସହ ହଠାତ୍ ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର) ଦେଖିବାକୁ ପାଇ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ଅପ୍ରତ୍ୟାଶିତ ଦୃଶ୍ୟ ତାଙ୍କ ଭ୍ରମଣକୁ ଚିରସ୍ମରଣୀୟ କରିଦେଇଛି ବୋଲି ସେ କହିଛନ୍ତି।
ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପ୍ରଥମ ଥର ପାଇଁ ସଫାରୀରେ ଆସି ଯାଜପୁରର ପର୍ଯ୍ୟଟକ ସନ୍ତୋଷ କୁମାର ପ୍ରଧାନ ଏକ ବିରଳ ତଥା ରୋମାଞ୍ଚକର ଅନୁଭୂତି ସାଉଁଟିଛନ୍ତି। ସଫାରୀ ଯିବା ସମୟରେ ଏକ କଲରାପତ୍ରିଆ ବାଘ ଦେଖିବାକୁ ମିଳିଥିବା ବେଳେ ଫେରିବା ବାଟରେ ଏକ ରୟାଲ ବେଙ୍ଗଲ ଟାଇଗର କିଛି ଖାଉଥିବାର ଦୃଶ୍ୟ ସେ ଦେଖିଥିବା କହିଛନ୍ତି ।