ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍ ଜଙ୍ଗଲରୁ ଏକ ହେଟା ବାଘ ଆସି ତାଙ୍କୁ ନେଇଯିବାକୁ ଉଦ୍ୟମ କରିଥିଲା। ଶିଶୁର ବେକକୁ ପାଟିରେ ଟାଣି ନେଉଥିବା ବେଳେ ଶିଶୁକନ୍ୟାଜଣକ ଚିତ୍କାର କରିଥିଲେ । ଏହା ଶୁଣି ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଆସିବା ପରେ ଶିଶୁ କନ୍ୟାଙ୍କୁ ଛାଡି ଜଙ୍ଗଲକୁ ବାଘ ଚାଲିଯାଇଥିଲା ।
ଏହାପରେ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଶିଶୁର ବେକ, ମୁହଁରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସହକାରୀ ବନ ସଂରକ୍ଷମ ମୌସୁମୀ ଖେମୁଣ୍ଡୁଙ୍କୁ ପଚାରିବାରୁ ଆମ ପାଖରେ କୌଣସି ଲିଖିତ ଅଭିଯୋଗ ନଥିବା କହିଥିଲେ । ତେବେ ଗଣମାଧ୍ୟମକୁ ଖବର ପାଇବା ପରେ ବନବିଭାଗ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ପରେ ଇନ୍ଦ୍ରାଗୁଡ଼ା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।