କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘଚମଡା ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ ବିଶୋଇ ଥାନା ଅଧୀନ ମଧୁପୁର ଗ୍ରାମର ବାଜନାଥ ହେମ୍ବ୍ରମ, ଜାମଦା ଥାନା ହରଗଡା ଗ୍ରାମର ତୁଶୀଲ ମୁର୍ମୁ, ଚାନ୍ଦୁଆ ଗ୍ରାମର ଝିଲ୍ଲୀଡ୍ୟାମର ହାମ୍ବିର ଟୁଡୁ, ବିଶୋଇ ଅଞ୍ଚଳର ସନତ ମାର୍ଣ୍ଡି, କୁଳିଅଣା ଥାନାର ଖେଲାରାମ ହାଁସଦା। ଜବତ ହୋଇଥିବା ଚମଡାର ଲମ୍ବ ୫ ଫୁଟ ୬ ଇଞ୍ଚ ଓ ଓସାର ୪ ଫୁଟ ୬ ଇଞ୍ଚ। ୨ ମାସ ପୂର୍ବରୁ ଏହି ବାଘକୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଶୋଇସ୍ଥିତ ମଣଦା ରେଞ୍ଜର ଖଜୁରିକଟାସ ଗ୍ରାମ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥରେ କଲରାପତରିଆ ବାଘ ଚମଡା ବିକ୍ରି ନିମନ୍ତେ ଡିଲ ଚାଲିଥିଲା। କୌଣସି ବିଶେଷ ସୂତ୍ରରୁ ଖବରପାଇ ରାଇରଙ୍ଗପୁର ବନଖଣ୍ଡ ଡିଏଫ୍‌ଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ବୈଦ୍ୟନାଥ ମାଝି, ଏସିଏଫ ନବୀନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଇରଙ୍ଗପୁର ବନଖଣ୍ଡର ଏକ ସ୍ବତନ୍ତ୍ର ସ୍କ୍ବାଡ ପୂର୍ବରୁ ଅଭିଯୁକ୍ତମାନଙ୍କୁ ଟ୍ରାକିଂ କରି ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ସେଠାରୁ ବାଘଚମଡା ସହ ୨ବାଇକ୍‌ ଓ ୪ ମୋବାଇଲ ଫୋନ ଜବତ କରାଯାଇଥିଲା।
ଫଟୋ