କୋଟା/ମୁମ୍ବାଇ,୧୯।୧୦: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଓ ରାଜସ୍ଥାନ ପୋଲିସ ମିଳିତ ଭାବେ ରାଜସ୍ଥାନର କୋଟା ରେଳ ଷ୍ଟେଶନରୁ ତିନି ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କୁ ପୁଣେଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ ନଂ. ୧୨୯୩୯)ରୁ ଧରାଯାଇଛି।
କୋଟା ପୋଲିସର ସୂଚନା ଅନୁଯାୟୀ, ତିନି ଅଭିଯୁକ୍ତ ନେପାଳକୁ ଫେରାର ହେବାକୁ ଯୋଜନା କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେହାନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ସେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ବୋଲି ଅଭିଯୋଗ ହୋଇଛି।
ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହରିୟାଣାର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ପ୍ରଥମେ କୋଟା କୋର୍ଟରେ ହାଜର କରାଯିବ। ଏହାପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟ୍ରାଞ୍ଜିଟ ରିମାଣ୍ଡରେ ସେମାନଙ୍କୁ ନେବା ପାଇଁ ପଦକ୍ଷେପ ନେବ। ଏଥିପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏକ ଟିମ କୋଟାରେ ପହଞ୍ଚିଛି। ଗିରଫ ୩ ଜଣଙ୍କ ମଧ୍ୟରେ ଋତିକ କୁମାର ଓରଫ ରୋଶନଙ୍କ ବୟସ ୨୨ ବର୍ଷ। ସେ ବିହାରର ବେଗୁସରାଇ ଜିଲାର ପିପରାଇ ଗ୍ରାମର ବାସିନ୍ଦା। ବର୍ତ୍ତମାନ ମୁମ୍ବାଇର ଅନ୍ଧେରୀ ପଶ୍ଚିମ ଅଞ୍ଚଳରେ ରହୁଥିଲେ ଏବଂ ରାପିଡୋ ଚାଳକ ଭାବେ କାମ କରୁଥିଲେ। ଦ୍ୱିତୀୟ ଅଭିଯୁକ୍ତ ରେହାନଙ୍କ ବୟସ ୧୮ ବର୍ଷ। ହରିୟାଣାର ସୋନିପତ ଜିଲା ଅନ୍ତର୍ଗତ ସଦର ଥାନା ଅଞ୍ଚଳର ଇଦ୍ଗାହ କଲୋନୀର ବାସିନ୍ଦା। ତୃତୀୟ ଜଣଙ୍କ ନାବାଳକ। ହରିୟାଣାର ସୋନିପତ ଜିଲାର ବଡ଼ୋଦା ଥୁଥନ ଅଞ୍ଚଳର ବାସିନ୍ଦା। ଆଇନଗତ କାରଣରୁ ନାବାଳକଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।
ସୂଚନା ଅନୁସାରେ, ଗତ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରେ ତିନି ଜଣ ଅଜଣା ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଟାଇଗର କାର୍ରେ ଯାଉଥିବା ସମୟରେ ଅତି ନିକଟରୁ ଗୁଳି ଚଳାଯାଇଥିଲା। ତାଙ୍କ କାର୍ ଉପରେ ମୋଟ ୭ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
ଏହି ଘଟଣାରେ ଟାଇଗର ଶ୍ରଫ ସୁରକ୍ଷିତ ଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।