ବାଘଛାଲ ଜବତ, ୨ ଗିରଫ

ଫୁଲବାଣୀ ଅଫିସ, ୧୩ା୫: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ପଖାଳଖିଆ ଗ୍ରାମ ନିକଟରେ ଫୁଲବାଣୀ ବନ ବିଭାଗ ଚଢ଼ାଉ କରି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ କଲରାପତରିଆ ବାଘ ଛାଲକୁ ଜବତ କରିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆଲୋକ କହଁର ଏବଂ ଯଶୋବନ୍ତ କହଁର। ବାଘ ଛାଲ କେଉଁଠୁ ଆସିଲା ତାହାର ତଦନ୍ତ ଚାଲିଥିବା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ କହିଛନ୍ତି।
ପ୍ରକାଶ ଯେ, ଆଲୋକ ଓ ଯଶୋବନ୍ତ ଏକ ବାଘ ଛାଲକୁ ବାହାର ଜିଲାରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ବନ ବିଭାଗକୁ ଖବର ମିଳିଥିଲା। ଡିଏଫଓ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ମଳୟ ରଞ୍ଜନ କାଲୋ, ଫୁଲବାଣୀ ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଖଜୁରୀପଡ଼ା ଅଞ୍ଚଳରେ ଚଢା଼ଉ କରାଯାଇଥିଲା। ବାଘ ଛାଲକୁ ନେଇ ଯୁବକ ଦ୍ୱୟ କେଉଁ ସ୍ଥାନକୁ ଯାଉଥିଲେ, ସେମାନେ ବାଘ ଶିକାର କରନ୍ତି କି ନାହିଁ ଏବଂ ସେମାନେ କେଉଁ ରାକେଟ ସହିତ ସମ୍ପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ଦୁଇ ଜଣଙ୍କୁ କୋର୍ଟରୁ ରିମାଣ୍ଡରେ ଅଣାଯିବ ବୋଲି ଡିଏଫଓ ପଟେଲ ପ୍ରକାଶ କରିଛନ୍ତି।