ସାତକୋଶିଆରେ ୪ମାସ ହେବ ଦେଖାଯାଉନି ବାଘ

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ସାତକୋଶିଆ ଅଭୟାରଣ୍ୟରେ ୧୫ ବର୍ଷର ଗୋଟିଏ ବାଘୁଣୀ ଥିଲା। ଗତ ୪ ମାସ ହେବ କ୍ୟାମେରା ଟ୍ରାପରେ ବାଘୁଣୀ ଆସିନାହିଁ। ଶେଷଥର ପାଇଁ ଟିକରପଡ଼ାରେ ବାଘୁଣୀର ପାଦଚିହ୍ନ ଦେଖିବାକୁ ମିଳିଥିଲା। ସମ୍ବର ଶିକାର ଓ ପାଦଚିହ୍ନରୁ ବାଘୁଣୀ ବଞ୍ଚତ୍ଥିବା ଅନୁମାନ କରାଯାଉଛି। ଆଖପାଖ ଜଙ୍ଗଲରେ ଏବେ ବାଘୁଣୀକୁ ଖୋଜା ଚାଲିଛି ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶି ପଲ୍‌ କହିଛନ୍ତି।
ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ କରିଥିଲେ। ଯେଉଁଥିରେ ୬ଟି ବାଘ (୩ ମାଈ ଓ ୩ ଅଣ୍ଡିରା) ଆସିବାର ଯୋଜନା ହୋଇଥିଲା। ଏହି ପ୍ରକ୍ରିୟାରେ ମଧ୍ୟପ୍ରଦେଶରୁ ପର୍ଯ୍ୟାୟକ୍ରମେ ଦୁଇଟି ବାଘ ଆସିଥିଲା। ଗୋଟିଏ ବାଘ ‘ମହାବୀର’କୁ ଶିକାରୀମାନେ ହତ୍ୟା କରିଥିବାବେଳେ ବାଘୁଣୀ ‘ସୁନ୍ଦରୀ’କୁ ନେଇ ବହୁ ସମସ୍ୟା ଦେଖାଯାଇଥିଲା। ଅଭୟାରଣ୍ୟର କୋର୍‌ ଏରିଆ ଭିତରେ ଅନେକ ଗ୍ରାମ ରହିଥିଲା। ଉକ୍ତ ଗ୍ରାମଗୁଡ଼ିକୁ ସ୍ଥାନାନ୍ତର ନ କରି ‘ସୁନ୍ଦରୀ’କୁ ଛଡ଼ାଯିବାରୁ ସେ ମଣିଷ ସମେତ ବିଭିନ୍ନ ଗୃହ ପାଳିତ ପଶୁଙ୍କୁ ମାରି ଖାଇଥିବା ଅଭିଯୋଗ ଉଠିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାପରେ ତାକୁ ପୁଣି ବନ୍ଦୀ ଜୀବନ ବିତାଇବାକୁ ପଡ଼ିଥିଲା। ଦୀର୍ଘଦିନ ଏନ୍‌କ୍ଲୋଜର ଭିତରେ ରହିବା ଫଳରେ ସୁନ୍ଦରୀ ମୋଟା ହୋଇଯିବା ସହିତ ତା’ର ବ୍ୟବହାରରେ ପରିବର୍ତ୍ତନ ହୋଇଗଲା। ସେପଟେ ବ୍ୟାଘ୍ର ସ୍ଥାନାନ୍ତର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କୌଣସି ଉଚିତ ପଦକ୍ଷେପ ନେଇ ନ ଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଅଭିଯୋଗ କରିଥିଲା। ଏନ୍‌ଟିସିଏ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ବନ ଅଧିକାରୀମାନେ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିଥିଲେ ବୋଲି ଏନ୍‌ଟିସିଏ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲା। ଏପରି ବାଦବିବାଦ ପରେ ଶେଷରେ ସୁନ୍ଦରୀକୁ ପୁଣି ମଧ୍ୟପ୍ରଦେଶ ଫେରାଇ ନିଆଯାଇଥିଲା। ଏହାପରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏହି ପ୍ରକଳ୍ପକୁ ଏନ୍‌ଟିସିଏ ବନ୍ଦ କରିଦେଇଥିଲା। ତେବେ ସାତକୋଶିଆରେ ପୂର୍ବରୁ ଥିବା ଏକ ବାଘୁଣୀ ଗତ କିଛିମାସ ହେଲାଣି ଦେଖାଯାଉ ନାହିଁ। ଫଳରେ ସାତକୋଶିଆ ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଗଲା ବୋଲି ଚର୍ଚ୍ଚା ହେଉଛି।