ବରଗଡ଼,୪।୧୧(ପ୍ରେମାନନ୍ଦ ଖମାରୀ): ବାରପାହାଡ ପାଦଦେଶ ନିକଟ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତ ରମ୍ପେଲା ଗ୍ରାମ ପାଖରେ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଗ୍ରାମବାସୀ ଗାଁ ପାଖରେ ବାଘ ପାଦଚିହ୍ନ ଦେଖି ଆତଙ୍କିତ ହୋଇ ପଡିଛନ୍ତି। ତାହା ଏକ ମହାବଳ ବାଘର ପାଦ ଚିହ୍ନ ବୋଲି ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ରମ୍ପେଲା ଗ୍ରାମର କୃଷ୍ଣ ସିଦାର ଭୋର ପ୍ରାୟ ୬ଟା ସମୟରେ ଗାଁ ନିକଟସ୍ଥ ଜୁନାଡିହି ଅଞ୍ଚଳକୁ ଯାଇଥିବାବେଳେ ଏକ ବାଉଁଶ ବୁଦା ମଧ୍ୟରେ ବାଘକୁ ଦେଖିବାକୁ ପାଇଥିବା କହିଥିଲେ। ଏହା ଦେଖି ସେ ଭୟଭୀତ ହୋଇ ତୁରନ୍ତ ଗାଁକୁ ଫେରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଇଥିଲେ। ଖବର ପାଇଁ କିଛି ଲୋକ ସାହାସ କରି ଦୂରରୁ ଥାଇ ଘଉଡାଇବାରୁ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ବାଘର ଦେହରେ ଗାର ଗୁଡିକ ପଡିଥିଲା । ଖବର ପାଇ ବରଗଡ଼ ବନଖଣ୍ଡର ଡିଏଫଓ ସରୋଜ କୁମାର ପଣ୍ଡା ଓ ଭଟଲି ରେଞ୍ଜର ଦର୍ଶନିଆଭୋଇଙ୍କ ସମେତ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପାଦଚିହ୍ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବାଘ ଗବେଷଣା କେନ୍ଦ୍ରକୁ ପଠାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।