ମିଳିଲା ମହାବଳ ବାଘର ସନ୍ଧାନ

ପାଟଣା,୪।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଝରଣା ମଧ୍ୟରୁ ଗୁରୁବାର ଏକ ବାର୍‌ହାର ମୃତଦେହ ବନ ବିଭାଗ ଠାବ କରିଥିଲା। ଏପରିକି ମୃତଦେହ ନିକଟରେ ଜଙ୍ଗଲୀ ଜନ୍ତୁର ପାଦଚିହ୍ନ ସ୍ପଷ୍ଟ ହେବା ପରେ ବନ ବିଭାଗ ସକ୍ରୀୟ ହୋଇ ଉଠିଛି।
ପୁଣି ଶନିବାର ବଣମହୁଲଡିହା ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲ ଝରଣା ନିକଟରୁ ସମ୍ପୃକ୍ତ ଜନ୍ତୁର ୬ଟି ପାଦ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଜଣେ ୱାଇଲ୍ଡ ଲାଇଫ ଏକ୍ସପର୍ଟ, ଡାକ୍ତର, ସାଟେଲାଇଟ ବିଶେଷଜ୍ଞଙ୍କ ସହ ୫ କର୍ମଚାରୀ ପହଞ୍ଚତ୍ ଅଧିକ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ, ଗତିବିଧି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ୫୦ଟି ଟ୍ରାପ କ୍ୟାମେରା ଲଗାଯିବ ବୋଲି ଏସିଏଫ୍‌ ଘନଶ୍ୟାମ ମହାନ୍ତ ପ୍ରକାଶ କରିଛନ୍ତି। ଲୋକେ ଭୟଭୀତ ନ ହେବା ପାଇଁ ମହାନ୍ତ ନିବେଦନ କରିବା ସହ ୩୦ବର୍ଷ ଆଗରୁ ଜଙ୍ଗଲରେ ବନ୍ୟଜନ୍ତୁ ରହୁଥିଲେ। ଏବେ ବି ରହୁଛନ୍ତି। ବର୍ତ୍ତମାନ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନେଇ ବନ ବିଭାଗ ଉଦ୍ୟମ କରୁଥିବା କହିଛନ୍ତି। ଏନେଇ ଭୁବନେଶ୍ୱରୁ ଆସିଥିବା ୱାଇଲ୍ଡ ଲାଇଫ ବିଶେଷଜ୍ଞଙ୍କୁ ପଚାରିବାରୁ ପାଦ ଚିହ୍ନରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ରୟାଲବେଙ୍ଗଲ ଟାଇଗର (ମହାବଳ ବାଘ)ର ଗତିବିଧି ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଟଣା ରେଞ୍ଜର ଘାସିନାଥ ପାତ୍ର, ସାହାରପଡା ବନପାଳ ଭୂପତି ସେଠୀ, ପାଟଣା ବନପାଳ ଚିତ୍ତରଞ୍ଜନ ପରିଡା, ସ୍ପେସିଆଲ ଫରେଷ୍ଟର ପିଅନ ନାଏକ, ଗାର୍ଡ ପ୍ରଯୁକ୍ତା ଜେନାଙ୍କ ସହ ପାରାଷ୍ଟାଫ, ଫାୟାର ଷ୍ଟାଫ ୨୫ ଜଣିଆ ଟିମ୍‌ ସାମିଲ ହୋଇ ବାଘର ସମ୍ଭାବିତ ଚଳପ୍ରଚଳ ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଇବା ଆରମ୍ଭ କରିଛନ୍ତି।