ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଲେ

ବାରିପଦା ଅଫିସ, ୫।୧୧: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସଚେତନତା ଅଭାବରୁ କଙ୍ଗାରୁ କୋର୍ଟ ବାରମ୍ବାର ଦେଖିବାକୁ ମିଳିଥାଏ। ଗୁଣିଗାରେଡ଼ିଠାରୁ ଆରମ୍ଭ କରି ଡାହାଣୀ ସନ୍ଦେହ ଏବଂ ପ୍ରେମଜନିତ ଘଟଣାରେ ଲୋକେ ଆଇନର ଆଶ୍ରୟ ନେବା ପରିବର୍ତ୍ତେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଅକଥନୀୟ ଅତ୍ୟାଚାର କରିବା ନଜିର ରହିଛି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ବିଦ୍ୟୁତ୍‌ ଖୁଣ୍ଟରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମରାଯାଉଥିବାର ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଗ୍ରାମବାସୀ ଦେଖଣାହାରୀ ସାଜିଥିବା ବେଳେ ଜଣେ ଯୁବକଏକ ବାଡ଼ିରେ ଉଭୟଙ୍କୁ ପିଟି ଚାଲିଛନ୍ତି। ମହିଳା ଜଣକ ଛଟପଟ ହୋଇ ନେହୁରା ହେଉଥିବା ବେଳେ ମାଡ଼ ମାରୁଥିବା ଯୁବକ ହିଂସ୍ର ହୋଇ ଉଠିଛନ୍ତି। ତେବେ ପ୍ରେମଜନିତ ଘଟଣାକୁ ନେଇ ଜିଲାରେ ହତ୍ୟାକାଣ୍ଡଠାରୁ ଆରମ୍ଭ ହୋଇ ଛାଡ଼ପତ୍ର ପର୍ଯ୍ୟନ୍ତ ଅନେକ ଘଟଣା ଘଟୁଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ଏପରି ଦଣ୍ଡନୀୟ ଅପରାଧକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି। ଭିଡିଓଟି ୪ଦିନ ଧରି ଭାଇରାଲ ହେବାରେ ଲାଗିଛି। ତେବେ କେଉଁ ଅଞ୍ଚଳର ଜଣାପଡ଼ିନାହିଁ। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।