ରାସ୍ତାରୁ ହାତଗୋଡ଼ ବନ୍ଧା ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କଲା ପୋଲିସ

ଲଖନପୁର,୧୭ା୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରୁ ସୁନ୍ଦରଗଡ଼ ଯାଇଥିବା ଗ୍ରୀଣ୍ଡୋଲା-କାଉଧର ରାସ୍ତାରୁ ପୋଲିସ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ହାତ, ଗୋଡ଼ ଏବଂ ମୁହଁ ବନ୍ଧା ହୋଇଛି । ପ୍ରମାଣ ନଷ୍ଟ କରିବା ପାଇଁ ଯୁବକଙ୍କ ମୁଣ୍ଡରେ ଗାଡ଼ି ଚଢ଼ାଇ ଦିଆଯାଇଛି । ଯୁବକଙ୍କ ଶରୀରରେ ଏକ ହଳଦିଆ ରଙ୍ଗର ଶାର୍ଟ ଓ ହାପ୍‌ ପ୍ୟାଣ୍ଟ ରହିଛି। ମୁହଁରେ ଗାଡ଼ି ଚଢ଼ାଇ ଦିଆଯାଇଥିବାରୁ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ଯୁବକଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏସବୁ ପାରିପାଶର୍‌ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ଖବରପାଇ ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାସ, ଲଖନପୁର ଥାନା ଆଇଆଇସି ପବିତ୍ର କିଷାନ, ବେଲପାହାଡ଼ ଥାନା ଆଇଆଇସି ରଶ୍ମିତା ବେହେରା ପ୍ରମୁଖ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ହତ୍ୟାକାଣ୍ଡର ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୋଲିସ ମୃତଦେହ ଜବତ କରି ଝାରସୁଗୁଡ଼ା ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ଏହା ସୀମା ହୋଇଥିବାରୁ ଏହି ଜଙ୍ଗଲିଆ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ରାତିରେ ମୃତଦେହ ପକାଇ ଚାଲି ଯାଇଥିବା ଚର୍ଚ୍ଚା ହେଉଛି।