କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ ଘନ ଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ପବନ ଓ ଝଡ଼ ବର୍ଷା ସାଧାରଣ ଜନ ଜୀବନକୁ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଥିଲା। ଦିଗପହଣ୍ଡି ବ୍ଳକ ବମୋକେଇ ପଞ୍ଚାୟତ ଖଇରପଙ୍କ ଗ୍ରାମ ନିକଟ ଚାଷଜମିରେ ବଜ୍ରପାତ ହେବାରୁ ଗୋରୁ, ଛେଳି,ମଇଁଷି ଚରାଉଥିବା ଖଇରପଙ୍କ ଗ୍ରାମର ଶ୍ରୀଧର କନିଆରି(୨୪) ଏବଂ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମର ଜି.ରାଜେନ୍ଦ୍ର(୪୫) ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ନୂଆପଡ଼ା ଫାଣ୍ଡି ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ନିକଟସ୍ଥ ବମୋକେଇ ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ରେ ଓପିଡି ନଂ.୬୦୨୭ ଅନୁଯାୟୀ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପରପକ୍ଷରେ ଶ୍ରୀଧରଙ୍କୁ ସେଠାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥିଚରଣ ନାୟକ ମୃତଦେହ ଜବତ କରିଛନ୍ତି। ସନ୍ଧ୍ୟାରେ ହୋଇଯିବାରୁ ମଙ୍ଗଳବାର ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ସେହିପରି ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଅଧିନ ପୁରୁଣା ବସଷ୍ଟାଣ୍ଡ ଇଲାକାର ୧୭ ନଂ ରାଜ୍ୟରାଜପଥ ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବହୁ ସଂଖ୍ୟକ ବାସିନ୍ଦାଙ୍କ ଘର ଓ ଦୋକାନଗୁଡିକରେ ନର୍ଦ୍ଦମା ପାଣି ଓ ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏପରିକି ସାପ,ସରିସୃପ ରାସ୍ତା ନ ପାଇ ଘରେ ପଶୁଛନ୍ତିି। ଗତ ମେ ୬ ତାରିଖରେ ସ୍ଥାନୀୟ ବାସିନ୍ଦା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share