ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଏବଂ ରୋମାଞ୍ଚକର ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ତଥା ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ୍ ଷ୍ଟୋକ୍ସ ଏହି ନିଲାମୀ ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି। ଷ୍ଟୋକ୍ସ ସର୍ବାଧିକ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ବର୍ଗରେ ନିଜକୁ ଉପଲବ୍ଧ କରାଇଛନ୍ତି। ୨୦୨୫ ମେଗା ନିଲାମୀରୁ ନିଜକୁ ଦୂରେଇ ରଖିଥିବାରୁ ଏଥର ତାଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା କମ୍ ଥିଲା, କିନ୍ତୁ ତାଙ୍କ ପ୍ରବେଶ ନିଲାମୀକୁ ଅଧିକ ଆକର୍ଷଣୀୟ କରିଦେଇଛି।

ବେନ୍ ଷ୍ଟୋକ୍ସଙ୍କୁ ଆଇପିଏଲ୍ ନିଲାମୀରେ ସାମିଲ କରିବା ପାଇଁ ବିସିସିଆଇ (BCCI) ନିଜର କଡ଼ା ନିୟମକୁ କୋହଳ କରିଛି। ବିସିସିଆଇ ନିୟମ ଅନୁଯାୟୀ, ଯେଉଁ ବିଦେଶୀ ଖେଳାଳି ମେଗା ନିଲାମୀରେ ନିଜକୁ ପଞ୍ଜିକୃତ କରି ନ ଥାନ୍ତି, ସେମାନେ ପରବର୍ତ୍ତୀ ମିନି ନିଲାମୀରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ। ୨୦୨୫ ମେଗା ନିଲାମୀରେ ଷ୍ଟୋକ୍ସ ସାମିଲ ହୋଇନଥିଲେ ମଧ୍ୟ ବିସିସିଆଇ ତାଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଛି।

ଆଇପିଏଲ୍ କ୍ୟାରିୟରରେ ବେନ୍ ଷ୍ଟୋକ୍ସ ପୂର୍ବରୁ ୩ଟି ଫ୍ରାଞ୍ଚାଇଜି ପାଇଁ ଖେଳିସାରିଛନ୍ତି। ୨୦୧୭ରେ ରାଇଜିଂ ପୁଣେ ସୁପରଜାଏଣ୍ଟ୍ସ ପକ୍ଷରୁ ପଦାର୍ପଣ କରିବା ପରେ ସେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ଏବଂ ଶେଷ ଥର ପାଇଁ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ଖେଳିଥିଲେ। ମୋଟ ୫ଟି ସିଜନ୍ ଖେଳିଥିବା ଷ୍ଟୋକ୍ସ ୪୫ଟି ମ୍ୟାଚରୁ ୯୩୫ ରନ୍ ସଂଗ୍ରହ କରିବା ସହ ୨୮ଟି ଉଇକେଟ୍ ଅକ୍ତିଆର କରିଛନ୍ତି।

ବେନ୍ ଷ୍ଟୋକ୍ସଙ୍କ ବ୍ୟତୀତ ଏଥର ମିନି ନିଲାମୀ ପାଇଁ ମୋଟ ୧,୨୨୦ ଜଣ ଖେଳାଳି ନିଜ ନାମ ପଞ୍ଜିକରଣ କରିଛନ୍ତି। ଏଥିରେ ୯୩୯ ଜଣ ଭାରତୀୟ ଏବଂ ୨୮୧ ଜଣ ବିଦେଶୀ ଖେଳାଳି ରହିଛନ୍ତି। ସମସ୍ତ ୧୦ଟି ଫ୍ରାଞ୍ଚାଇଜି ମୋଟ ୬୬ଟି ଖାଲିଥିବା ସ୍ଲଟ୍ ପୂରଣ କରିବା ପାଇଁ ବୋଲି ଲଗାଇବେ, ଯେଉଁଥିରେ ୨୫ଟି ବିଦେଶୀ ଖେଳାଳିଙ୍କ ସ୍ଲଟ୍ ସାମିଲ ଅଛି।

ପଞ୍ଜିକୃତ ଖେଳାଳିଙ୍କ ତାଲିକାରେ ୧୪ ଜଣ କ୍ୟାପ୍ଡ ଭାରତୀୟ ଖେଳାଳି, ୧୭୦ ଜଣ କ୍ୟାପ୍ଡ ଅନ୍ତର୍ଜାତୀୟ ଖେଳାଳି ଏବଂ ଆସୋସିଏଟ୍ ଦେଶର ୪୨ ଜଣ ଖେଳାଳି ରହିଛନ୍ତି। ଏହାବ୍ୟତୀତ ଗତ ଆଇପିଏଲ୍ ସିଜନ୍ ଖେଳିଥିବା ୧୨୭ ଜଣ ଅନ୍‌କ୍ୟାପ୍ଡ ଭାରତୀୟ ଖେଳାଳି, ୬୨୮ ଜଣ ଅନ୍ୟ ଅନ୍‌କ୍ୟାପ୍ଡ ଭାରତୀୟ ଏବଂ ୬୯ ଜଣ ଅନ୍‌କ୍ୟାପ୍ଡ ବିଦେଶୀ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ନୂଆ ନାମ ଯୋଡ଼ିବା ପାଇଁ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟସୀମା ଦେଇଛି।

Dharitri – Odisha’s No.1 Odia Daily

Share