ଆଖିକୁ ବାଲି ଫିଙ୍ଗିଲେ, ଖୁରରେ କାଟିଲେ

ପରଜଙ୍ଗ, ୨୩।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ଆତଙ୍କ ଥମିବାର ନଁା ଧରୁନାହିଁ। ବ୍ୟସ୍ତବହୁଳ ସଡ଼କରେ ମାରଣାସ୍ତ୍ରଧାରୀ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ। ପୋଲିସ କେବଳ ତଦନ୍ତ ଚାଲିଛି କହି ପ୍ରସଙ୍ଗକୁ ହାଲୁକା ଭାବେ ନେଉଥିବାବେଳେ ଅଞ୍ଚଳବାସୀ ଅସୁରକ୍ଷିତ ଅନୁଭବ କଲେଣି, ଯାହାକୁ ନେଇ ପୋଲିସ ବିରୋଧୀ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କଲାଣି। ମଙ୍ଗଳବାର ଅପରାହ୍ନରେ ୩ଜଣ ମୁଖାଧାରୀ ଲୁଟେରା ହାତୀଲୁଚାଣି ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଆଖିରେ ବାଲି ଫିଙ୍ଗିବା ସହ ଖୁରରେ କାଟି ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ସିଂହଡ଼ା ଗ୍ରାମର ନୀହାର ରଞ୍ଜନ ସାହୁ। ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତଙ୍କ ଏଭଳି କାଣ୍ଡ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନୀହାର ପରଜଙ୍ଗ ୟୁକୋ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିଲେ। ୫୩ନଂ. ଜାତୀୟ ରାଜପଥଠାରୁ କୁଆଳୋ ଆଡ଼କୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ହାତୀଲୁଚାଣି ଛକ ନିକଟରେ ଏକ ବାଇକ୍‌ରେ ୩ଜଣ ମୁଖାଧାରୀ ଯୁବକ ତାଙ୍କୁ ଓଭରଟେକ୍‌ କରି ଗାଡ଼ି ଅଟକାଇଥିଲେ। ଏହାପରେ ଆଖିରେ ବାଲି ଫିଙ୍ଗି ଏକ ଧାରୁଆ ଛୁରିରେ ଆକ୍ରମଣ କରି ପାଖରେ ଥିବା ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ କୁଆଳୋ ଗ୍ରାମ ଆଡ଼କୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ସେ କହିଛନ୍ତି।