ସରକାରୀ ସହାୟତା ଅପେକ୍ଷାରେ ୩ ଜୁଆଙ୍ଗ ଅନାଥ ଶିଶୁ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ଦୁଆରଶୁଣି ଗ୍ରାମର କାହ୍ନୁ ଜୁଆଙ୍ଗଙ୍କ ବାପା ମା’ ଛେଉଣ୍ଡ ତିନି ସନ୍ତାନଙ୍କୁ ସହାୟତା ଦେବାକୁ ଦାବି ହେଉଛି। ସେମାନଙ୍କ ବୟସ ୩ରୁ ୫ ବର୍ଷ ହେବ।
ପ୍ରକାଶ ଯେ, ସ୍ତ୍ରୀ-ସ୍ବାମୀ ଓ ତିନି ପିଲାଙ୍କୁ ନେଇ ପରିବାର ଦୁଃଖ କଷ୍ଟରେ ଚାଲିଥିଲା। ଗତ ବର୍ଷ କାହ୍ନୁଙ୍କ ସ୍ତ୍ରୀଙ୍କର ହଠାତ୍‌ ଦେହାନ୍ତ ହୋଇଯିବାରୁ ବଡ ମା’ ପିଲାଙ୍କ ଦାୟିତ୍ୱ ନେଇଥିଲେ। ଭାଗ୍ୟର ବିଡ଼ମ୍ବନା, ସେ ବଡ଼ ମା’ ଏଇ କିଛି ଦିନ ତଳେ ଆର ପାରିକି ଚାଲିଗଲେ। ପୁଣି ଗତକାଲି କାହ୍ନୁଙ୍କର ଦେହାନ୍ତ ହୋଇଗଲା। ଏବେ ତିନି ପିଲା ବେସାହାରା। ଅନାଥ ହୋଇ ପଡ଼ିଛନ୍ତି। ଚାଷ ବୋଲି କିଛି ନାହିଁ। ବାପ ମଜୁରୀ କରି ଆଣିଲେ ପରିବାର ଚଳୁଥିଲା। ସେହିପରି ସରକାରଙ୍କ ପକ୍ଷରୁ ସରକାରୀ ଘର ମିଳି ନାହିଁ।
ଏଣୁ ପିଲାମାନେ ଭଙ୍ଗା ଦଦରା ଚାଳ ଛପର ଘରେ ରହୁଥିବା ବେଳେ ମାଗି ଖାଇ ଚାଲୁଛନ୍ତି। ଏହି ସମୟରେ ବାପାର ଶୁଦ୍ଧିକ୍ରିୟା କିପରି ହେବ ସେ ନେଇ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଏ ଦୁଃଖଦ ଖବର ପାଇ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଡମ୍ବରୁଧର ଘଣା, ମନୋଜ କୁମାର ପଟେଲ ଓ ରାମଚନ୍ଦ୍ର ମହାନ୍ତ ସେ ଗାଁରେ ପହଞ୍ଚି ସବୁ କଥା ପଚାରି ବୁଝିଛନ୍ତି। ପିଲାଙ୍କ ପାଇଁ କିଛି ରାଶନ ସାମଗ୍ରୀର ବ୍ୟବସ୍ଥା କରିବା ସହ ପିଲାଙ୍କୁ ଶୁଦ୍ଧିକ୍ରିୟା ପାଇଁ ନୂଆ ପୋଷାକ ଦେବାର ଯୋଜନା କରିଛନ୍ତି। ଖବର ପାଇ ସ୍ଥାନୀୟ ଆଦିବାସୀ ନେତା କୃଷ୍ଣଚନ୍ଦ୍ର ଜୁଆଙ୍ଗ ଘଟଣାସ୍ଥଳରେ ପହଞ୍ଚି ସେମାନେ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

Dharitri – Odisha’s No.1 Odia Daily

Share
Tags: orphans