ବୃଦ୍ଧଙ୍କୁ ଆକ୍ରମଣ କରି ତିନି ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୧୮।୨(ସ୍ବ.ପ୍ର.): ସିଜେଏମ୍‌ କୋର୍ଟର ଚିଫ ଜୁୁଡିଶିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଶୁକ୍ରବାର ଏକ ମାମଲାର ଶୁଣାଣି କରିଛନ୍ତି। ଜଣେ ଆକ୍ରମଣକାରୀଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ କରିବା ସହ ଦୁଇ ହଜାର ଜରିମାନା ଆଦେଶ ଦେଇଛନ୍ତି। ୨୦୧୮ ଜୁନ୍‌ ୨୦ରେ ସଦର ଥାନା ଡୁମୁରିଆ ଗ୍ରାମର ଋଷି କୁମାର ମହନ୍ତ ନାମକ ଜଣେ ୭୨ ବର୍ଷ ବୃଦ୍ଧ ଘରକୁ ଫେରୁଥିବା ବେଳେ ଘର ନିକଟରେ ଅଭିଯୁକ୍ତ ଟାଙ୍ଗିଆରେ ଆକ୍ରମଣ କରି ତାଙ୍କୁ ଲହୁ ଲୁହାଣ କରିଦେଇଥିଲେ। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ। ଏ ନେଇ ଋ଼ଷି ସଦର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ପରେ ପୋଲିସ କେସ ନଂ. ୧୪୮/୨୦୧୮ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଅନାଦେୟ ଅର୍ଥ ବାବଦକୁ ଆଉ ଚାରି ମାସ ଦଣ୍ଡ ଭୋଗିବାକୁ ହେବ ବୋଲି ସରକାରୀ ଓକିଲ ଅଶୋକ ଦାସ କହିଛନ୍ତି।