ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି ପୁରୁଷୋତ୍ତମପୁର ବ୍ଲକର ତିନି ଛାତ୍ରଛାତ୍ରୀ। ଏହି ସଫଳତା ଯୋଗୁ ବ୍ଲକ ପାଇଁ ସେମାନେ ଗୌରବ ଆଣିଛନ୍ତି।

ସଫଳ ଛାତ୍ରଛାତ୍ରୀମାନେ ହେଲେ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱୟଂଜିତ ମିଶ୍ର। ସେ ବାଳକ ବିଭାଗର ୧୪ ବର୍ଷରୁ କମ୍‌ ୬୩ରୁ ୬୮ କେଜି ବର୍ଗରେ ମନୋନୀତ ହୋଇଛନ୍ତି। ସେହିପରି ନିମପଲ୍ଲୀ ହାଇସ୍କୁଲର ଛାତ୍ର ଜି. ଇନ୍ଦ୍ରଜିତ ପାତ୍ର ବାଳକ ବିଭାଗର ୧୭ ବର୍ଷରୁ କମ୍‌ ୮୦ କେଜି ବର୍ଗରେ ଏବଂ ଛାତ୍ରୀ ଡି. ସୁଜାତା ପାତ୍ର ବାଳିକା ବିଭାଗର ୧୭ ବର୍ଷରୁ କମ୍‌ ୪୪ରୁ ୪୬ କେଜି ବର୍ଗରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଏହି ତିନି ଛାତ୍ରଛାତ୍ରୀ ଆସନ୍ତା ୧୮ ତାରିଖରେ ପୁରୀ ଜିଲା ହାଇସ୍କୁଲଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ରେସଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଆଦର୍ଶ ବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ପୂଜା ପ୍ରଧାନ ଏବଂ ନିମପଲ୍ଲୀ ହାଇସ୍କୁଲର କ୍ରୀଡ଼ା ପ୍ରଶିକ୍ଷକ ନିର୍ମଳଚନ୍ଦ୍ର ବସ୍ତିଆଙ୍କ ପ୍ରଶିକ୍ଷଣ ଯୋଗୁ ପୁରୁଷୋତ୍ତମପୁର ବ୍ଲକ ଏଭଳି ସଫଳତା ହାସଲ କରିଥିବା କୁହାଯାଇଛି।

ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ନିଯୁକ୍ତ କୋଚ୍‌ ଓ ପ୍ରଶିକ୍ଷକଙ୍କ ସହ ଏହି ତିନି ଛାତ୍ରଛାତ୍ରୀଙ୍କ ସମେତ ଜିଲାର ବିଭିନ୍ନ ବର୍ଗରୁ ମୋଟ ୪୪ ଜଣ ଛାତ୍ରଛାତ୍ରୀ ପୁରୀ ଯିବେ ବୋଲି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share