ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ଗତ ବିଳମ୍ବିତ ରାତିରେ ଡିଆରଆଇ ୟୁନିଟରେ ମେଣ୍ଟେନାନ୍ସ କାମ ଚାଲିଥିବା ସମୟରେ ଶ୍ରମିକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ଘଟଣା ସମୟରେ ସେଠାରେ କାମ କରୁଥିବା ଶ୍ରୀଧର ବୋଗେନ (୩୭), ମଣ୍ଟ କୁମାର (୩୨) ଓ ମଙ୍ଗଳ ମାଝି (୪୦) ଗ୍ୟାସର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟକୁ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଉଥିବା ବେଳେ ହିନ୍ଦୋଳ ନିକଟରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି।

ମୃତକମାନଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ବ୍ଲକ ତିନିଗୁଡା ଗାଁର ହେଉଥିବା ବେଳେ ଅନ୍ୟଜଣ ଜଗାଙ୍ଗପୁର ସୁନାଖଣି ଅଞ୍ଚଳର ବୋଲି ଜଣାପଡିଛି । ଏହି ଅପମୃତ୍ୟୁ ସମ୍ବନ୍ଧୀୟ ଖବର ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଛାଇଯାଇଛି। ଘଟଣା ପରେ ମୃତଦେହଗୁଡିକୁ ହିନ୍ଦୋଳ ଡାକ୍ତରଖାନାରେ ରଖାଯାଇଛି। ପରିବାର ସଦସ୍ୟମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଘଟଣାକୁ ନେଇ ପ୍ଲାଣ୍ଟ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା।

କାରଖାନାର ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରମିକ ଓ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିଶା ଥାନା ପୋଲିସ ପ୍ଲାଣ୍ଟରେ ପହଞ୍ଚିବା ସହିତ ବ୍ୟାପକ ଭାବେ ପୋଲିସ ମୋତାୟନ କରାଯାଇଥିଲା।ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଗ୍ୟାସ ଲିକ୍ କିପରି ହେଲା, ସୁରକ୍ଷା ନିୟମ ପାଳନ କରାଯାଇଥିଲାକି ନାହିଁ ଏବଂ କାହାର ଅବହେଳା ଥିଲା କି ନାହିଁ ସେସବୁ ଦିଗରେ ତଦନ୍ତ ଚାଲିଛି ।
ଏହି ଘଟଣା ପରେ ମେଟାଲିକ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ପୁନର୍ବାର ଗୁରୁତର ପ୍ରଶ୍ନ ଉଠିଛି । ଶ୍ରମିକ ସଂଘ ଓ ସ୍ଥାନୀୟ ଲୋକମାନେ ଦାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ପୀଡିତ ପରିବାରଙ୍କୁ କ୍ଷତିପୂରଣ ଦାବି କରୁଛନ୍ତି ।

 

Dharitri – Odisha’s No.1 Odia Daily

Share