ଅଗ୍ନିକାଣ୍ଡରେ ୩ ଦୋକାନ ଜଳିଗଲା

ରାଇକିଆ,୩୦ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ବଜାର ଠାରେ ଥିବା ତିନୋଟି ଦୋକାନରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନ ଥିବା ବେଳେ ଦିନ ବାରଟା ବେଳେ ହଠାତ୍‌ ନିଆଁ ଲାଗି ଦିଲୀପ ମହାନ୍ତିଙ୍କ ଦୁଇଟି ଦୋକାନ ଏବଂ ସନ୍ଦୀପ ପାତ୍ରଙ୍କ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ପାଣି ସମସ୍ୟା ଯୋଗୁ ଲିଭାଇବାରେ ବିଳମ୍ବ ଘଟିଥିଲା। ସ୍ଥାନୀୟ ଯୁବକମାନେ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ।