ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବ୍ରଜେଶ ମିଶ୍ର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ଏହି ମାମଲାର ବିଚାର କରି ପୀଡ଼ିତା ସୌଦାମିନୀ ତ୍ରିପାଠୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ସ୍ବାମୀ ହୃଦାନନ୍ଦ ତ୍ରିପାଠୀ (୫୮), ଦିଅର ଭୀମସେନ(୫୫) ଓରଫ ଭୀମ ଏବଂ ଯାଆ ଆନନ୍ଦିନୀ (୪୯)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୬ ଜଣ ସାକ୍ଷୀ ଓ ଅନ୍ୟ ଦସ୍ତାବିଜକୁ ତର୍ଜମା କରି ବିଚାରପତି ପ୍ରତ୍ୟେକ ଦୋଷୀଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮ (ଏ)/୩୪ରେ ୧ ବର୍ଷର ଲେଖାଏ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି।

ଜରିମାନା ଅନାଦେୟ ଆଉ ୧ ମାସର ସାଧାରଣ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହ ଧାରା ୩୨୩/୩୪ରେ ପ୍ରତ୍ୟେକଙ୍କୁ ଆଉ ୧ ମାସର ଜେଲ ଦଣ୍ଡ ଓ ୫୦୦ ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟରେ ଅଧିକ ୨ ଦିନ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମସ୍ତ ଦଣ୍ଡାଦେଶ ଏକାସଙ୍ଗେ ଚାଲିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

ମାମଲାରୁ ପ୍ରକାଶ, ୧୯୯୭ ଫେବୃଆରୀ ୧୬ରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଧନୁପାଲିର ସୌଦାମିନୀଙ୍କ ବିବାହ ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ହୃଦାନନ୍ଦଙ୍କ ସହ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ମାତ୍ର ବିବାହ ପରେ ଯୌତୁକ ପାଇଁ ଏବଂ ସନ୍ତାନ ହେଉ ନ ଥିବା ଦର୍ଶାଇ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିଲେ। ଫଳରେ ସେ କିଛିଦିନ ପରେ ବାପଘରକୁ ପଳାଇ ଥିଲେ। ୨୦୧୪ରେ ପୁତ୍ର ସନ୍ତାନ ଜନ୍ମ ହେବା ପରେ ମଧ୍ୟ ନିର୍ଯାତନା କମି ନ ଥିଲା। ଏପରିକି ତାଙ୍କ ଦିଅର ଭୀମସେନ ତାଙ୍କୁ ଏକ ସାଇକେଲ ଚେନରେ ମାଡ଼ ମାରିବାରୁ ତାଙ୍କର ଶ୍ରବଣ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥିଲା। ସେହିପରି ତାଙ୍କୁ ଏକ କୋଠରୀରେ ବନ୍ଦ କରି ଭୋକ ଉପାସରେ ରଖି ତାଙ୍କ ପୁତ୍ର ସନ୍ତାନଠାରୁ ଦୂରେଇ ରଖାଯାଉଥିଲା। ପରେ ୨୦୧୭ ମସିହାରେ ପୀଡ଼ିତା ସୌଦାମିନୀଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ବୁର୍ଲା ଭିମସାରରେ ଚିକିତ୍ସା କରାଇଥିଲେ। ତେବେ ସଂସାର ବଞ୍ଚାଇବା ଆଶାରେ ପୀଡ଼ିତା ଦୀର୍ଘଦିନ ଅପେକ୍ଷା କରି ରହିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସେ ବାଧ୍ୟ ହୋଇ ୨୦୨୧ ଜାନୁଆରୀ ୭ରେ ସମ୍ବଲପୁର ମହିଳା ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ମହିଳା ଥାନାରେ ନଂ. ୦୧/୨୦୨୧ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହାସହ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 

Share