ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯିବା ପରେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ବନ୍ୟା ପରିସ୍ଥିତିକୁ ସଫଳତାର ସହ ମୁକାବିଲା ଏବଂ ପରିଚାଳନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତିନୋଟି ଜିଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭଦ୍ରକ ଜିଲାର ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆର୍ଡିସି (RDC) ସୁଧାଂଶୁ ସାମଲଙ୍କୁ ଦିଆଯାଇଥିବା ବେଳେ, ବାଲେଶ୍ୱର ଦାୟିତ୍ୱ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ଜିଲାର ଦାୟିତ୍ୱ ପି. ଅନ୍ୱେଷା ରେଡ୍ଡୀଙ୍କୁ ପ୍ରଦାନ କରାଯାଇଛି।
ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଜନସାଧାରଣଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

