ପାଟଣା, ୧୪/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଶିଶୁ ଦିବସ ପାଳିତ ହୋଇଯାଇଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ତମ ଜନ୍ମଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ନେହେରୁଙ୍କୁ ‘ଚାଚା ନେହେରୁ’ ବୋଲି କାହିଁକି ସମ୍ବୋଧନ କରାଯାଏ, ସେ ସମ୍ପର୍କରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ବୁଝାଇଥିଲେ।
ପାଟଣା ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କେଦାରରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଶିକ୍ଷୟିତ୍ରୀ ନିରୁପମା ନାଏକ, ଶୁଭଲକ୍ଷ୍ମୀ ସେଠୀ, ସମୀର ରଞ୍ଜନ ନାଏକ, ଶ୍ରୀଧର ମହାପାତ୍ର, ସଞ୍ଜୁଲତା ପାଲଟା ସିଂ, ସୌଭାଗିନୀ ମହାନ୍ତ ଓ ବିକାଶ ନାଏକ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଏକଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଥିଲା। ବିଜ୍ଞାନ ଶିକ୍ଷକ ପାର୍ଥସାରଥୀ ବେଜ, ଅଞ୍ଜଳୀ ଦଣ୍ଡପାଟ ଓ କ୍ରୀଡ଼ା ଶିକ୍ଷକ ଅମିୟ ରଞ୍ଜନ ମହାନ୍ତ ପ୍ରମୁଖ ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ, ଶିଶୁମାନଙ୍କ ଅଧିକାର, ସୁରକ୍ଷା ତଥା ଉତ୍ତମ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲା ସମ୍ପାଦକ କମଳାକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଥିଲା। ଏଥିରେ ଶିକ୍ଷକ ପ୍ରକାଶ କୁମାର ମିଶ୍ର, ସୁଶାନ୍ତ କୁମାର ମହାନ୍ତ, ମାଧବାନନ୍ଦ ମହାନ୍ତ ଏବଂ ଶିକ୍ଷୟିତ୍ରୀ ସସ୍ମିତା ନାୟକ, ଚନ୍ଦ୍ରାବତୀ ନାଏକ, ଜ୍ୟୋତିର୍ମୟୀ ବାରିକ ଓ ପ୍ରୀତିମୟୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ପଣ୍ଡିତ ନେହେରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କଲମ, ପେନ୍ସିଲ୍, ଚକୋଲେଟ୍ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

